ଭୁବନେଶ୍ଵର ୨୯।୧୨: ଶନିବାର ରାତି ୧ଟା । ଇନଫୋସିଟି ନିକଟ ଏକ ପବ୍ରେ କମେଣ୍ଟ ମରାକୁ ନେଇ ଝଗଡ଼ା ଆରମ୍ଭ ହେଲା । ଯିଏ ଯାହାକୁ ପାରିଲା ନିର୍ଧୁମ ପିଟିଲା । ପୁଅଙ୍କ କଥା କିଏ ପଚାରେ, ଦୁଇ ଝିଅ ରାସ୍ତାରେ ଗଡ଼ାତଡ଼ା ।  ବିରୋଧ କରିବାକୁ ଯାଇ ବାଉନ୍ସର ବି ହେଲେ ହଟହଟା । ରବିବାର ରାତି ସାଢେ ୧୧ଟା । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛ ଏକ ଦାମୀ ପବ୍‌ରେ ଖଚାଖଚ ଭିଡ଼ ଥିଲା । ପବ୍ ବାହାରେ ୨ ଗୋଷ୍ଠୀର ୧୦-୧୨ ଯୁବକ ମୁହାଁମୁହିଁ ହେଲେ । ଚାଲିଲା ମାରପ, ଠେଲାପେଲା । ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ଛାଡ଼ି ନଥିଲେ । ଅଧଘଣ୍ଟା ପରେ ପିସିଆର ଭ୍ୟାନ୍ ପହଞ୍ଚିଲା । ସେତେବେଳକୁ ଝଗଡ଼ା ସରିଯାଇଥିଲା ।

କେବଳ ଏହି ଦୁଇଟି ଘଟଣା ନୁହେଁ, ପ୍ରତିଦିନ ଚନ୍ଦ୍ରଶେଖରପୁର, ପଟିଆ, ଇନ୍ଫୋସିଟି ଅଞ୍ଚଳର ବାର ଓ ପବ୍ ସାମ୍ନାରେ ଏମିତି ପାଲା ଚାଲିଛି । ବାହାରେ ତାଲା ପକାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ବାର୍ । ପିସିଆର ଭ୍ୟାନ ଆସୁଛି ସତ । କେତେବେଳେ ସେମାନଙ୍କୁ ତାଗିଦ୍ କରୁଛି ତ କେବେ କେବେ ଗଣ୍ଡଗୋଳ ଭିତରେ ନପଶି ବାଟ କାଟି ଚାଲିଯାଉଛି । ସବୁଠୁ ବଡ଼ କଥା ହେଉଛି ପୁଲିସ ଜାଣୁଛି । ହେଲେ ବାର୍ ମାଲିକଙ୍କଠୁ ସ୍ଥାନୀୟ ଥାନା ପୁଲିସ ମାସିକିଆ ବଟି ନେଇ ଚୁପ୍ ବସୁଛି ବୋଲି ଅଭିଯୋଗ ହେଉଛି । ନିୟମ ରହିଛି, ରାତି ୧୨ଟା ଯାଏଁ ବାର୍ ଓ ପବ୍ ଖୋଲା ରହିବ । କୌଣସି ବାର୍ ଓ ପବ୍ ମାଲିକ ଦିନକ ପାଇଁ ଅବକାରୀ କାର୍ଯ୍ୟାଳୟରୁ ଅନୁମତି ଆଣିଲେ, ଅଧିକ ଦେଢ଼ ଘଣ୍ଟା ଯାଏ ଖୋଲା ରଖିପାରିବେ । ଏସବୁ ନିୟମ ଅଳ୍ପ କିଛି ବାର୍ ପବ୍ ମାନୁଛନ୍ତି । ଅଧିକାଂଶ ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି । ବିଳମ୍ବିତ ରାତି ଯାଏଁ ଖୋଲିବା ଦ୍ୱାରା ଅପରାଧ ବଢୁଛି ।

ଗତ ମେ ୫ ତାରିଖରେ ଡମଣାରେ ଥିବା କସମସ୍ ବାରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଉନ୍ସର ସୂରୟା ନାୟକଙ୍କୁ ଗୁଳିମାଡ କରିଥିଲେ ଦୁବୃର୍ତ୍ତ । ଗତ ୧୩ ରାତି ୧୨ଟା ୧୫ରେ ଅବକାରୀ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ରୋମିଓ ଲେନ୍ ରେସ୍ତୋରାଁରେ ଚଢଉ କରାଯାଇଥିଲା । ଏହି ସମୟରେ ବାର୍ର ୪ କର୍ମଚାରୀ ପୁଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା କରିବା ସହ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ କିଛି ଦିନ ପୂର୍ବରୁ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ଓପିଡି ଓ ଏମ୍ବାସୀ ବାରରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ଗତ ବର୍ଷକ ମଧ୍ୟରେ ୩୦ରୁ ଅଧିକ ଥର ଗଣ୍ଡଗୋଳ ହେଲାଣି । ତଥାପି ପୁଲିସର ଢିଲା ପାଟ୍ରୋଲିଂ ପାଇଁ ବାର୍ ମାଲିକ ନିୟମକୁ ମାନୁନାହାଁନ୍ତି ।

ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ଦ୍ୱାରା ଆଖ ପାଖରେ ରହୁଥିବା ଲୋକେ ମଧ୍ୟ ଭଲରେ ଶୋଇ ପାରୁନାହାଁନ୍ତି । ଡିଜେ ଶବ୍ଦରେ ପୁରା ଅଞ୍ଚଳ କମ୍ପୁଥିବା ଅଭିଯୋଗ ହେଉଛି । ଆଗକୁ ନୂଆବର୍ଷ ଆସୁଛି । ଏଥିପାଇଁ ବାର୍ ମାଲିକମାନେ ବଲିଉଡ୍, ଓଲିଉଡ୍ ଓ ଅନ୍ୟ କଳାକାରଙ୍କୁ ଆଣିବାକୁ ଯୋଜନା କରୁଛନ୍ତି । ଭୋର୍ ପର୍ଯ୍ୟନ୍ତ ବାର୍ ଖୋଲାଯିବ ବୋଲି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି । ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି । ଅସୀମିତ ମଦ ଓ ଖାଦ୍ୟ ପରସିଦେବାକୁ ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଆମେ ମଝିରେ ମଝିରେ ବାର୍ ଉପରେ ଚଢଉ କରୁଛୁ । ବିଳମ୍ବିତ ଯାଏଁ ଖୋଲା ଥିବା ବାର୍ ମାଲିକଙ୍କୁ ତାଗିଦ୍ କରୁଛୁ । ନୂଆବର୍ଷ ପାଇଁ ଜୋରଦାର ଚଢଉ ହେବ ।