ନୂଆଦିଲ୍ଲୀ ୨୧।୯: ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ । ଗତ ୧୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି କ୍ରମଶଃ ପଶ୍ଚିମ ଓ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ସୋମବାର ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏହି ମେଘଖଣ୍ଡ ଗୁଡ଼ିକ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛନ୍ତି ଏବଂ ଏହାର କେନ୍ଦ୍ରବିନ୍ଦୁ ବର୍ତ୍ତମାନ ସେହି ଅଞ୍ଚଳରେ ରହିଛି । ଓଡ଼ିଶା ଉପକୂଳରେ ମଧ୍ୟ ମେଘଗୁଡ଼ିକ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ସମୁଦ୍ରକୁ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ଝିପି ଝିପି ବର୍ଷା ରେକର୍ଡ କରାଯାଉଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ସନ୍ଧ୍ୟା ଏବଂ ମଙ୍ଗଳବାର ସକାଳ ଭିତରେ ଏହା ଏକ ଅବପାତ ଏବଂ ପରେ ଏକ ଗଭୀର ଅବପାତରେ ପରିଣତ ହୋଇପାରେ । ତା’ପରେ ପୁଣି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସମୁଦ୍ର ଉପରେ ଯାଇ ପହଞ୍ଚିବ ।

ତେବେ ୨୩ ତାରିଖରୁ ଏହାର ବିଶେଷ ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି । ଯେହେତୁ ଏହାର ଗତି ମନ୍ଥର ରହିବ, ତେଣୁ ସେହି ସମୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଓଡ଼ିଶାରେ ୨୨ ତାରିଖରେ ପ୍ରବଳ ବର୍ଷା ଏବଂ ୨୩ ଓ ୨୪ ତାରିଖରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ବା ତା’ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

​​​​​​​

Also Read:- ୨୩ ସକାଳେ ନୁହେଁ ମଙ୍ଗଳବାର ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ ! ବୁଲେଟିନ୍ ଜାରି କଲା IMD

ପବନ ବର୍ତ୍ତମାନ ସମୁଦ୍ର ଉପରେ ଘଣ୍ଟାପ୍ରତି ୪୦ ରୁ ୪୫ କିଲୋମିଟର ବେଗରେ ପ୍ରବାହିତ ହେଉଛି, ଯାହା ମଙ୍ଗଳବାର ସକାଳେ ୪୫ରୁ ୫୫ କିଲୋମିଟର ଏବଂ ୨୩ ତାରିଖ ସକାଳେ ୫୫ ରୁ ୬୫ କିଲୋମିଟର ଏବଂ ଝଟକା ପବନ ୭୫ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଏହି ପବନ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅମୃତଭଣ୍ଡା, ସଜନା ଓ କଦଳୀ ଗଛ ଭଳି କୃଷିଜାତ ଫସଲ ବିଶେଷ ଭାବେ ବାଧାପ୍ରାପ୍ତ ହୋଇପାରେ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରକୁ ନା ଯିବା ସହିତ ସତର୍କ ରହିବାକୁ ଆଇଏମ୍‌ଡି ତରଫରୁ ସୂଚନା ଜାରି କରାଯାଇଛି ।

Watch Video: