ଭୁବନେଶ୍ୱର ୨୧।୦୯ : ଆରମ୍ଭ ହେଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଲା ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରମୁଖ ଉପସ୍ଥିତ। ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଚାଲିଛି ଆଲୋଚନା।

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ତା' ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିପାରନ୍ତି । ଏନେଇ ବୈଠକରେ ଆଲୋଚନା ହୋଇପାରେ। ଆଜି ସନ୍ଧ୍ୟା ୫ଟାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ। ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ। ତେବେ ମୌସୁମୀ ଅଧିବେଶନରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ MMDR ଆଇନ ମୁଖ୍ୟ ପ୍ରସଙ୍ଗ ସାଜିବ ବୋଲି ଉଭୟ ବିରୋଧୀ ଦଳ ବିଧାୟକମାନେ ସୂଚନା ଦେଇଛନ୍ତି। ଏହା ସହିତ ପୁସ୍ତକ ମୁଦ୍ରଣ ତ୍ରୁଟି, ଆଇନ ଶୃଙ୍ଖଳା ସ୍ଥିତି ଭଳି ପ୍ରସଙ୍ଗରେ ଗୃହ କମ୍ପିବ । ବିରୋଧୀ ଦଳକୁ ମୁକାବିଲା କରିବାକୁ ଶାସକ ଦଳ ସଂଧ୍ୟା ୬ଟାରେ ପ୍ରସ୍ତୁତ କରିବେ ରଣନୀତି। ବିଧାନସଭାର 54 ନଂ ରୁମରେ ସନ୍ଧ୍ୟା ୬ ଟାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ଚାଲିବ ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶନରେ ରହିଛି ୯ ଟି କାର୍ଯ୍ୟ ଦିବସ।

Also Read:-Low pressure system: ବଙ୍ଗୋପସାଗରରେ ଲଘୁଚାପ, ୨୪ ଘଣ୍ଟାରେ ଗଭୀର ଅବପାତ ; ଓଡ଼ିଶାରେ ୫ ଦିନ ପ୍ରବଳ ବର୍ଷିବ !