କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ଭୂକମ୍ପ। ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ। ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ତାଙ୍କ ଦାବି ଅନୁଯାୟୀ, ଗତ ନିର୍ବାଚନରେ ନିଜ ପିଉସୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଦଳର ୧୪ ଜଣ ପ୍ରମୁଖ ନେତାଙ୍କୁ ହରାଇବା ପାଇଁ ଅଭିଷେକ ଏକ ଗୁପ୍ତ ଷଡ଼ଯନ୍ତ୍ର ରଚିଥିଲେ।

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଋତବ୍ରତ କହିଛନ୍ତି ଯେ, ଏହି ନେତାମାନଙ୍କୁ ହରାଇବାର ଯୋଜନା ଅଭିଷେକଙ୍କ କାମାକ ଷ୍ଟ୍ରିଟ୍ସ୍ଥିତ କାର୍ଯ୍ୟାଳୟରେ ହିଁ ପ୍ରସ୍ତୁତ କରାଯାଇଥିଲା। ଏହି ସମ୍ବେଦନଶୀଳ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି?। ଆବଶ୍ୟକ ପଡ଼ିଲେ ସେ ଏହାକୁ ଅଦାଲତରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ଦୃଢ଼ତାର ସହ କହିଛନ୍ତି ଋତବ୍ରତ।

Also Read: ‘କମେଡିଆନ୍ ଏବଂ ଜୋକରଙ୍କ ଦଳ’: ପୁଲକିତ ମଣିଙ୍କ ‘ପିଏମ ମୋଦୀ ସ୍କିଟ୍’କୁ ନେଇ ରାହୁଲ ଗାନ୍ଧୀଙ୍କୁ ବିଜେପିର ଟାର୍ଗେଟ୍

ଷଡ଼ଯନ୍ତ୍ରର ନମ୍ବର ୱାନ୍ ଟାର୍ଗେଟରେ ଥିଲେ ମମତା

ବିରୋଧୀ ଦଳ ନେତାଙ୍କ ଅନୁସାରେ, ଏହି ସୁଚିନ୍ତିତ ତାଲିକାରେ ସବୁଠାରୁ ଉପରେ ଥିଲା ମମତା ବାନାର୍ଜୀଙ୍କ ନାମ। ଦଳ ଏବଂ ଆଗାମୀ ସରକାର ଉପରେ ନିଜର ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କରିବା ଲକ୍ଷ୍ୟରେ ଅଭିଷେକ ଏହି ଯୋଜନା କରିଥିଲେ। ତେବେ ଫଳାଫଳରେ ତୃଣମୂଳ କଂଗ୍ରେସ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଥିଲା। ମମତାଙ୍କ ବ୍ୟତୀତ ଏହି ତାଲିକାରେ ନିଜେ ଋତବ୍ରତ ବାନାର୍ଜୀ, ମୋଣ୍ଟୁରାମ ପାଖିରା, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଅରୂପ ବିଶ୍ୱାସ ଏବଂ ଅରୁଣାଭ ସେନଙ୍କ ଭଳି ହେଭିୱେଟ୍ ନେତାଙ୍କ ନାମ ସାମିଲ ଥିଲା।

ପୋଲିଂ ବୁଥ୍ରୁ ବାହାର କରିଦିଆଯାଇଥିଲା ଏଜେଣ୍ଟଙ୍କୁ

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀଗୁଡ଼ିକରେ କର୍ମୀମାନଙ୍କୁ ନିଷ୍କ୍ରିୟ କରିଦିଆଯାଇଥିଲା ଏବଂ ପୋଲିଂ ବୁଥ୍ରେ ଦଳୀୟ ଏଜେଣ୍ଟମାନଙ୍କୁ ପଶିବାକୁ ଦିଆଯାଇ ନଥିଲା। ଏହି ତାଲିକାରେ ଥିବା ୧୪ ଜଣଙ୍କ ମଧ୍ୟରୁ କେବଳ ସେ ନିଜେ ଏବଂ ଅରୁଣାଭ ସେନ୍ ହିଁ ଜିତି ପାରିଥିଲେ ବୋଲି ଋତବ୍ରତ ଦାବି କରିଛନ୍ତି।

Also Read: 'ହିନ୍ଦୁଙ୍କୁ ବିପଦ ବୋଲି କହିବା ପୂର୍ବରୁ ଆଇନା ଦେଖିନେବା ଉଚିତ୍', ହାମିଦ୍ ଅନସାରୀଙ୍କୁ ଭିଏଚ୍ପି-ବିଜେପିର ଜବାବ

ଉଲ୍ଲେଖଯୋଗ୍ୟ, ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା। ୧୭ ରାଉଣ୍ଡ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ଲଢ଼େଇ ଶେଷରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୧୫,୧୦୫ ଭୋଟ୍ରେ ମମତାଙ୍କୁ ପରାସ୍ତ କରିଥିଲେ। ପରାଜୟ ପରେ ମମତା ମଧ୍ୟ ଭୋଟ୍ ଗ୍ରହଣ ଓ ଗଣତିରେ ଅନିୟମିତତା ସହ ବୁଥ୍ରେ ଏଜେଣ୍ଟମାନଙ୍କୁ ପ୍ରବେଶ କରିବାକୁ ନଦିଆଯିବା ନେଇ ଅଭିଯୋଗ ଆଣିଥିଲେ। ଋତବ୍ରତଙ୍କ ଏହି ନୂଆ ଦାବି ପରେ ପଶ୍ଚିମବଙ୍ଗ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି ହୋଇଛି।