ନୂଆଦିଲ୍ଲୀ, ୨୧/୦୯:ସୁଦାନରେ ପୁଣି ଅଘଟଣ । ଗୃହଯୁଦ୍ଧର ସାମ୍ନା କରୁଥିବା ସୁଦାନରେ ପୁଣି ଥରେ ବଡ ଅଘଟଣ ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ସୁନା ଖଣି ଧସି ଯାଇଛି । ଗତ କିଛି ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବ ଘଟଣାରେ ୮୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିଲେ । ଏଥର ମଧ୍ୟ ଖଣିରେ କାମ କରୁଥିବା ୧୧ ଶ୍ରମିକ ଜୀବନ ହାରିଛନ୍ତି । ଏହାସହ ୩୦ ଜଣ ଗୁରୁତର ହୋଇଛନ୍ତି ।

ଆଶଙ୍କା କରାଯାଉଛି ଯେ ମାଟି ତଳେ ଏବେବି ଅନେକ ଶ୍ରମିକ ପୋତି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଶନିବାର ରାତିରେ ଏହି ଅଘଟଣ ଘଟିଥିଲେ ବି ଏବେସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯାଇପାରି ନାହିଁ ।

ସୁଦାନୀ ମିନେରାଲ୍ସ ରିସୋର୍ସେସ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର ହୋଇଛି । ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ କିଛି ଶ୍ରମିକ ମାଟି ତଳେ ପୋତି ହୋଇ ରହିଛନ୍ତି । ସେମାନଙ୍କୁ ବାହାର କରାଯାଉଛି ।

Also Read :ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ : ସୀମା ଭିତରେ ପଶି ବୋମା ବର୍ଷା କଲା ବାୟୁସେନା

ସୂଚନାଯୋଗ୍ୟ, ସୁଦାନରେ ସୁନାର ବଡ଼ ଭଣ୍ଡାର ରହିଛି । ଏଠାରେ ହଜାର ହଜାର ଶ୍ରମିକ ବିନା କୌଣସି ସୁରକ୍ଷା ଉପକରଣରେ କାମ କରିଥାନ୍ତି । ଅନେକ ବେଆଇନ ଖଣିରେ ଏମାନଙ୍କୁ ନିୟୋଜିତ କରାଯାଏ । ଗତ ୧୩ ତାରିଖରେ ସୁଦାନରେ ଅନ୍ୟ ଏକ ସୁନା ଖଣିରେ ମାଟି ଧସି ଯାଇଥିଲା । ଦେଶର ପଶ୍ଚିମ ପ୍ରାନ୍ତରେ ଥିବା ଖଣିରେ ଅଘଟଣ ଘଟିଥିଲା । ଯେଉଁଥିରେ ୮୨ ଜଣ ପ୍ରାଣ ହରାଇଥିଲେ ।