ବଡ଼ବିଲ: ବେଆଇନ ଖଣିଜ ପରିବହନ ବିରୋଧରେ ବରବିଲ୍ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତି ପ୍ରାୟ ୧ଟା ସମୟରେ ଜାତୀୟ ରାଜପଥ-୫୨୦ର ଭଦ୍ରାସାହିଠାରେ ନାକା ଚେକିଂ ଚାଲିଥିବା ବେଳେ ପୋଲିସ୍ ୩ଟି ବେଆଇନ ଲୁହାପଥର ବୋଝେଇ ୧୬ ଚକିଆ ହାଇୱା ଗାଡ଼ି ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ରଖିଛି।

ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଭଦ୍ରାସାହିଠାରେ ନାକା ଚେକିଂ କରୁଥିବା ବେଳେ ଯୋଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ୩ଟି ହାଇୱା ଗାଡ଼ିକୁ ଅଟକିବାକୁ ସଙ୍କେତ ଦେଇଥିଲେ। ତେବେ ଚାଳକମାନେ ପୋଲିସର ନିର୍ଦ୍ଦେଶକୁ ଅମାନ୍ୟ କରି କୋଇଡ଼ା ଅଭିମୁଖେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଟିମ୍ ସେମାନଙ୍କୁ ପିଛା କରି ଟଣ୍ଟୋ ନିକଟରେ ଗାଡ଼ିଗୁଡ଼ିକୁ କାବୁ କରିଥିଲା।

Also Read: ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ହେଡମାଷ୍ଟରଙ୍କ ସମ୍ପୃକ୍ତି, ଫେରାର କରାଇଥିଲେ ହାବିଲଦାର!

ଜବତ ହୋଇଥିବା ଗାଡ଼ିଗୁଡ଼ିକର ନମ୍ବର ଓଡି ୦୨ ବିଏସ୍ ୧୨୦୫, ଓଡି ୦୨ ବିଏସ୍ ୧୨୫୩ ଏବଂ ଓଡି ୦୯ ପି ୧୯୭୩  ବୋଲି ଜଣାପଡ଼ିଛି। ଯାଞ୍ଚ ବେଳେ ଗାଡ଼ିଗୁଡ଼ିକରେ ଲୁହାପଥର ବୋଝେଇ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଅଭିଯୁକ୍ତମାନେ ଏହାର କୌଣସି ବୈଧ କାଗଜପତ୍ର କିମ୍ବା ଅନୁମତିପତ୍ର ଦେଖାଇପାରିନଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୩ ଜଣ ଡ୍ରାଇଭର ଏବଂ ଜଣେ ସହାୟକ ମେକାନିକ ଥିବା ଜଣାପଡିଛି । ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ ଏହି ଲୁହାପଥରକୁ ବେଆଇନ ଭାବେ ସଂଗ୍ରହ କରି ସୁନ୍ଦରଗଡ଼ ଜିଲ୍ଲା ବଣେଇ ରାଜାମୁଣ୍ଡା ସ୍ଥିତ ଏକ କ୍ରସର ପ୍ଲାଣ୍ଟରେ ବିକ୍ରି କରିବାପାଇଁ ନିଆଯାଉଥିଲା।

ଜୁରୁଡ଼ି, ଯୋଡ଼ା ଓ ବାମେବାରୀ ଆଦି ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲରୁ ଲୁହାପଥର ଓ ମାଙ୍ଗାନିଜ୍ ପଥର ଉତ୍ତୋଳନ ଓ ପରିବହନରେ ଏକ ସଂଗଠିତ ସିଣ୍ଡିକେଟ୍ କାମ କରୁଥିବା ପୋଲିସ ସନ୍ଦେହ କରୁଛି। ଏହି ଗୋଷ୍ଠୀର ସଦସ୍ୟମାନେ ପୋଲିସର ଗତିବିଧି ଉପରେ ନଜର ରଖିବାଠାରୁ ଆରମ୍ଭ କରି ଗାଡ଼ି ବ୍ୟବସ୍ଥା ଓ ବେଆଇନ ବିକ୍ରୟ ଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ପୋଲିସ୍ ଜାଣିବାକୁ ପାଇଛି । ସିଣ୍ଡିକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା, ଖଣିଜର ପ୍ରକୃତ ଉତ୍ସ ଓ ଆର୍ଥିକ କାରବାରର ଖୋଳତାଡ଼ ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଜି ଏକ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ।

Also Read: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖୁଥିଲା, ୧୪ ଯୁବତୀଙ୍କୁ ଠକିଥିଲା ମହମ୍ମଦ ମାଜିନ, UAEରୁ ପ୍ରତ୍ୟର୍ପଣ ପରେ ଗଲା ଜେଲ୍‌