ବାଙ୍କୀ :  କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ। ମାଆ -ଜେଜେ ମାଆ ଆଖିରୁ ଶୁଖୁନି ଲୁହ। କେମିତି ବା ଶୁଖିବ। ଘରର ଝିଅ ଘରକୁ ଫେରିନି। ଟ୍ୟୁସନ ଯାଇଥିଲା। ଆଉ ସେଦିନଠୁ କୁଆଡ଼େ ଯାଇଛି ଯେ, ଯାଇଛି ଏଯାଏଁ ତାର ଦେଖା ନାହିଁ। ଖୋଜିଖୋଜି ପୂରା ପରିବାର ନୟାନ୍ତ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ର ରଗଡି ପଞ୍ଚାୟତରେ ଥିବା କୋଟଦ୍ୱାର ଗ୍ରାମରେ। ଏହି ଗାଁରେ ରହୁଥିବା  ବିଜୟ ସେଣଙ୍କ ୧୪ ବର୍ଷର ଝିଅ ପ୍ରିୟଙ୍କା ସେଣ । ଦଶମ ଶ୍ରେଣୀରେ ପଢ଼ୁଥିଲେ, ହେଲେ ଗତ ୧୨ ତାରିଖରୁ ନିଖୋଜ ଅଛନ୍ତି। ସନ୍ଧ୍ୟା ୬ ଟାରେ ଟ୍ୟୁସନ ଯାଇ ଥିଲେ। କିନ୍ତୁ ଘରକୁ ଫେରିନାହାନ୍ତି। ଝିଅକୁ ନ ପାଇବାରୁ ପରିବାର ଲୋକେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଣେ ସନ୍ଦିଗ୍ଧ ନେଇ ସୂଚନା ବି ଦେଇଛନ୍ତି। କିନ୍ତୁ ଅଭିଯୋଗ କରିବାର ସପ୍ତାହେ ପରେ ବି ନିଖୋଜ ଝିଅ ସଂପର୍କରେ କିଛି ବି ସୁରାକ ନେଇ ସୂଚାଇ ନାହିଁ ପୋଲିସ୍।

ପୋଲିସର ତଦନ୍ତ କେଉଁ ଷ୍ଟେଜରେ। ନା ବାଳିକା ଛାତ୍ରୀ କଣ ପବନରେ ମିଳେଇଗଲା। କୁଆଡ଼େ ଗଲା ସେ। ପୋଲିସ ସତରେ ପାଉନି ନା ଅଦୃଶ୍ୟ ଚାପରେ ଚୁପ୍। ଏ ସଂପର୍କରେ ପୋଲିସକୁ ପଚାରିବାରୁ ମିଡିଆ ସମ୍ମୁଖରେ କହିବାକୁ ଆମକୁ ଅନୁମତି ନଥିବା କହିଛନ୍ତି, ଉଭୟ ବାଙ୍କୀ ଥାନା ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ଓ ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାଳକୃଷ୍ଣ କହଁର। ପୂର୍ବରୁ ବାଙ୍କୀ ଥାନାରେ ୨୦୨୨ ଡିସେମ୍ବର ୫ ତାରିଖରେ ଜଣେ ବାଳିକା ଝୁନା ଜେନା ଜାତମୁଣ୍ଡିଆ-ଡମପଡା ରାସ୍ତାରୁ ନିଖୋଜ ହୋଇଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ବାଙ୍କୀ ପୋଲିସ ପାଇନାହିଁ। ପ୍ରିୟଙ୍କାଙ୍କ ନିଖୋଜ ସେହିପରି ଲୁଚି ଜୀବନି ତ ପରିବାକୁ ଘାରିଛି ସେହି ଭୟ।

ଝିଅ ନିଖୋଜକୁ ୧୬ଦିନ ବିତି ଗଲାଣି। ଘରେ କାହା ପେଟକୁ ଯାଉନି ଦାନା ପାଣି। କାହା ଆଖିକୁ ନିଦ ବି ଆସୁନି ... ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି ସମସ୍ତେ । ବଡ଼ ଦୁଃଖର ବିଷୟ ଏତେ ଦିନ ପୋଲିସ ହାତ ଖାଲି। ପରିବାରର ଅଭିଯୋଗ ପୋଲିସ ଉଚିତ୍ ତଦନ୍ତ କରୁନାହିଁ, ଯେଉଁଥିପାଇଁ ତାଙ୍କ ଝିଅର କୌଣସି ପତା ମିଳୁନି। ତେବେ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଧରି ପ୍ରିୟଙ୍କାଙ୍କୁ ଖୋଜି ଆଣିବାକୁ ପରିବାରର ଗୁହାରୀ।

Also Read- ଦୁଇ ମାସ ହେଲା ଖାତାକୁ ଆସୁନି ଭତ୍ତା ଟଙ୍କା, ବ୍ୟାଙ୍କକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଅସହାୟ ହିତାଧିକାରୀ