ଆସିକା ୨୯।୫: ଦୁଇ ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା । ଏବେ ଚିନ୍ତାରେ ବୟସ୍କ ଅସହାୟ ବୃଦ୍ଧ-ବୃଦ୍ଧା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ମଧୁରଝୋଳି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଗ୍ରାମର ପ୍ରାୟ ଶତାଧିକ ଅସହାୟ ବ୍ୟକ୍ତି ମାନଙ୍କୁ ଭତ୍ତା ଟଙ୍କା ମିଳିପାରିନାହିଁ । ଗଲା ଦୁଇ ମାସ ହେବ ଭତ୍ତା ଟଙ୍କା ମିଳିନଥିବାର ଅଭିଯୋଗ ହୋଇଥିବା ବେଳେ ବ୍ୟାଙ୍କକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଅସହାୟ ହିତାଧିକାରୀ ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କନିଆରି ଗ୍ରାମ ପଂଚାୟତର ମଧୁରଝୋଳି ଗ୍ରାମ । ଏହି ଗ୍ରାମଟି ବ୍ଲକର ଶେଷ ସୀମାରେ ରହିଥିବା ବେଳେ ଗାଁରେ ପ୍ରାୟ ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଗଲା ଦୁଇ ମାସ ହେବ ଏମାନଙ୍କୁ ଭତ୍ତା ମିଳିନଥିବା ବେଳେ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ଅସହାୟ ହିତାଧିକାରୀ । ମାସିକ ଭତ୍ତା ଟଙ୍କା ପାଇଲେ ଔଷଧପତ୍ର କିଣିଥାନ୍ତି ହିତାଧିକାରୀ । କିନ୍ତୁ ଏବେ ଗତ ଦୁଇ ମାସ ହେବ ଅନଲାଇନ ମାଧ୍ୟମରେ ଆସୁଥିବା ଭତ୍ତା ଟଙ୍କା ଆଉ ଖାତାକୁ ଆସିନାହିଁ । ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନାହିଁ ।

Also Read:- ବଡ଼ଦାଣ୍ଡରେ ମାଳ ମାଳ ଆମିଷ ଦୋକାନ, ହୋଟେଲ-ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ବିକ୍ରି ; ହାଇଜେନିକ ଫିସ୍ ମାର୍କେଟ୍ କେବେ ?

ତେବେ ଏହି ସମସ୍ୟା ଯେ କେବଳ ଏହି ଗ୍ରାମର ନୁହଁ । ପୁରା କବିସୂର୍ଯ୍ୟନଗର ବ୍ଲକର ୨୧ ଗୋଟି ଗ୍ରାମ ପଂଚାୟତରେ ଦେଖା ଦେଇଥିବା ବେଳେ ପ୍ରାୟ ୬ହଜାର ୫ଶହରୁ ଅଧିକ ଅସହାୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରି କି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଦୁଇ ଦୁଇ ଥର ନୋଟିସ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।  କାହିଁକି ଦୁଇ ମାସ ହେଲା ଭତ୍ତା ଟଙ୍କା ଖାତାକୁ ଆସୁନି ପଚାରିଲେ ଅଧିକାରୀଙ୍କ ଠାରୁ କିଛି ଉତ୍ତର ମିଳୁନି ।ତେବେ ରାଜ୍ୟ ସରକାର ତୁରନ୍ତ ଏହି ଅସହାୟ ମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ଆବଶ୍ୟକତା ରହିଛି ।