ତିରୁଅନନ୍ତପୁରମ: କେରଳର ଅତ୍ୟନ୍ତ ସମ୍ବେଦନଶୀଳ ଏଝିମାଲା ନାଭାଲ ଏକାଡେମୀରୁ ଜଣେ ବାଂଲାଦେଶୀ ନାଗରିକକୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜାଲି କାଗଜପତ୍ରରେ ନିଜକୁ ଭାରତୀୟ ଦର୍ଶାଇ କାମ କରୁଥିଲା । ଏହି ବାଂଲାଦେଶୀ ନାଗରିକକୁ ବିପ୍ଳବ ସୋରେନ ଭାବେ ଚିହ୍ନଟ କରାଯାଇଛି । ସେ ନିଜର ବାଂଲାଦେଶୀ ନାଗରିକତାକୁ ଲୁଚାଇ ନାଭାଲ ଏକାଡେମୀର ଲଣ୍ଡ୍ରି ସେକ୍ସନରେ କଣ୍ଟ୍ରାକ୍ଟ ୱାର୍କର ଭାବେ କାମ କରୁଥିଲା ।

ପ୍ରାରମ୍ଭିକ ସୂଚନା ଅନୁସାରେ ସୋରେନ ବିନା ବୈଧ କାଗଜପତ୍ରରେ ଭାରତରେ ରହୁଥିଲା । ନିକଟରେ ନୌସେନା ଅଧିକାରୀ ତା ଉପରେ ସନ୍ଦେହ କରିଥିଲେ ଓ ତା ଉପରେ ନଜର ରଖୁଥିଲେ। ପରେ ତାକୁ ଅଧିକାରୀ ଅଟକ ରଖି ପଚରାଉଚରା କରିଥିଲେ । ବିସ୍ତୃତ ଯାଞ୍ଚ କାଳରେ ତା ମୋବାଇଲ ଫୋନରୁ ଏପରି ସବୁ ତଥ୍ୟ ଓ ସୂଚନା ମିଳିଛି ଯେଉଁଥିରୁ ସେ ବାଂଲାଦେଶୀ ନାଗରିକ ବୋଲି ଜଣାପଡିଛି। ନେଭି ଅଫିସରଙ୍କ ପଚରା ଉଚରା ଓ ପୁଷ୍ଟି ପରେ ତାକୁ ଶୁକ୍ରବାର ରାତି ପାଖାପାଖି ୮ଟା ୧୫ ମିନିଟ୍ ରେ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଆକାଡେମୀରୁ ବାଂଲାଦେଶୀ ନାଗରିକ ଧରାପଡିବା ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଜଣେ ବିଦେଶୀ ନାଗରିକ କିପରି ନିଜର ଜାତୀୟତା ଲୁଚାଇ ରଣନୈତିକ ରୂପେ ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରତିଷ୍ଠାନରେ ପାଖାପାଖି ୧ ବର୍ଷରୁ ଅଧିକ କାଳ ହେଲା ଠିକା କର୍ମଚାରୀ ଭାବେ କାମ କରୁଥିଲା ତଦନ୍ତକାରୀ ଏବେ ଏ କଥାର ଯାଞ୍ଚ କରୁଛନ୍ତି। ସେ ଜଣେ ବାଂଲାଦେଶୀ ନାଗରିକ ହୋଇ ମଧ୍ୟ କିପରି ନକଲୀ କାଗଜପତ୍ର ଯୋଗାଡ କରି ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରତିଷ୍ଠାନକୁ ପଶିଲା ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ଅଧିକାରୀମାନେ ଏବେ ଏ କଥାରମଧ୍ୟ ଯାଞ୍ଚ କରୁଛନ୍ତି ଯେ ସେ କେତେ ସମୟ ହେଲା ଆକାଡ଼େମୀରେ କାମ କରିଆସୁଛି। ଚାକିରି ଦେବାରେ ତାକୁ କିଏ ସହାୟତା କରିଥିଲା। ଏହି ଘଟଣାକ୍ରମ କନ୍ନୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିନା କାଗଜପତ୍ରରେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସାମ୍ନାକୁ ଆସିଛି।