ଢାକା: ବାଂଲାଦେଶ ରବିବାର କହିଛି ଯେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଯାତ୍ରା ସେ ପର୍ଯ୍ୟନ୍ତ ଆଗକୁ ବଢିବାର ସମ୍ଭାବନା ନାହିଁ ଯେଉଁ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଢାକା ଦ୍ୱାରା ବାଞ୍ଛିତ ଅନ୍ୟ ପଳାତକଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଭାରତ ସରକାର ଆଗକୁ ନ ବଢାଇଛନ୍ତି। ବାଂଲାଦେଶ ବିଦେଶ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ରହମାନଙ୍କ ସମ୍ଭାବିତ ଦ୍ୱିପାକ୍ଷୀୟ ଦିଲ୍ଲୀ ଯାତ୍ରାକୁ ନେଇ ଦୁଇ ଦେଶର ଅଧିକାରୀ ପିଛିଲା କିଛି ସପ୍ତାହ ଧରି ସମ୍ପର୍କରେ ଅଛନ୍ତି। ତେବେ ୫ ଅଗଷ୍ଟ ଶେଖ ହସିନାଙ୍କ ସାର୍ବଜନିକ ପ୍ରେସ ବାର୍ତ୍ତା ଏହି ଆଲୋଚନା ଉପରେ ପ୍ରଭାବ ପକାଇଛି ବୋଲି ବାଂଲାଦେଶ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଏ.କେ.ଏମ ଶାହିଦୁଲ କରୀମ କହିଛନ୍ତି।

କରୀମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଦରକାର। ସେ କହିଛନ୍ତି ଯେ ବାଂଲାଦେଶ ଭାରତୀୟ ଅଧିକାରୀଙ୍କୁ ଶେଖ ହସିନା ଓ ଅନ୍ୟ ପଳାତକ ଅପାରଧୀଙ୍କୁ ଯଥାଶୀଘ୍ର ସମର୍ପଣ କରିବା ଲାଗି ଦାବି କରିଛି। ଏହା ସହିତ ଦୁଇ ଦେଶଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷୀୟ ପ୍ରତ୍ୟାର୍ପଣ ସନ୍ଧିର ନିୟମ ପାଳନ କରି ସରିଫ ଓସମାନ ହାଦୀଙ୍କ ହତ୍ୟା ଅଭିଯୁକ୍ତଙ୍କୁ ବାଂଲାଦେଶ ସମର୍ପଣ କରିବାକୁ ଅନୁରୋଧ କରାଯାଇଛି। ଏହା ଉପରେ ବାଂଲାଦେଶ ଏବେ ଭାରତର ଜବାବ ଅପେକ୍ଷାରେ ଅଛି।

ଅନ୍ୟପଟେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ନୂଆଦିଲ୍ଲୀରେ ଶେଖ ହସିନା ଓ ବାଂଲାଦେଶ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ କୌଣସି ନେଣଦେଣ ନାହିଁ। ବାଂଲାଦେଶ କହିଛି ଯେ ରହେମାନଙ୍କ ସମ୍ଭାବିତ ଯାତ୍ରା ସମ୍ପର୍କିତ ପ୍ରକ୍ରିୟା ନୂଆଦିଲ୍ଲୀରେ ଶେଖ ହସିନାଙ୍କ ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀ ଯୋଗୁ ଖରାପ ହୋଇଯାଇଛି। ତେବେ ଭାରତ ପୂର୍ବରୁ କହିସାରିଛି ଯେ ହସିନାଙ୍କ ପ୍ରତ୍ୟାର୍ପଣ ପାଇଁ ବାଂଲାଦେଶର ଦାବି ଉପରେ ଏବେ ବିଚାର କରାଯାଉଛି।