ନୂଆଦିଲ୍ଲୀ: ୟୁରୋପରେ ପୁଣିଥରେ ବୋମା ଧମକକୁ ନେଇ ଆତଙ୍କ ଖେଳିଯାଇଛି । ସୋମବାର ଜର୍ମାନୀ ଓ ଡେନମାର୍କର ଶହ ଶହ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ବିସ୍ଫୋରଣ ଧମକ ମିଳିଛି । ଏହି ଇ-ମେଲ୍ର ‘ମୃତ୍ୟୁ ତୁମକୁ ଅପେକ୍ଷା କରିଛି’ ବୋଲି ଲେଖାଯାଇଥିଲା । ynetnews ରିପୋର୍ଟ ଅନୁସାରେ ଏହି ଇମେଲରେ ଇସଲାମିକ୍ ଶରିଆ ଆଇନର ଉଲ୍ଲେଖ କରାଯିବା ସହ ‘ଆଲ୍ଲାହୁ ଆକବର’ ଲେଖା ରହିଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜର୍ମାନୀରେ ୪୫୦ଟି ସ୍କୁଲକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା । ସେହିପରି ଡେନମାର୍କର ବିଭିନ୍ନ ସ୍କୁଲକୁ ମଧ୍ୟ ସମାନ ଧରଣର ଧମକ ମିଳିଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଡେନମାର୍କର ସରକାରୀ ପ୍ରସାରଣ ସଂସ୍ଥା ଡିଆର୍ ଅନୁଯାୟୀ, ସ୍କୁଲ ବ୍ୟତୀତ ହସ୍ପିଟାଲ ଓ ଜେଲକୁ ମଧ୍ୟ ଧମକ ଦିଆଯାଇଥିଲା ।

ବୋମା ଧମକ ମିଳିବା ପରେ ଉଭୟ ଦେଶର ପୋଲିସ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଏହି ଧମକ ପଛରେ କୌଣସି ବିପଦ ଥିବାର ପ୍ରମାଣ ମିଳିନାହିଁ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେତେକ ସ୍କୁଲକୁ ଖାଲି କରାଯାଇଥିବା ବେଳେ ଅନ୍ୟ ସ୍କୁଲଗୁଡ଼ିକରେ ପୋଲିସ ଯାଞ୍ଚ କରିଥିଲା ।

ଡେନମାର୍କର TV 2 ରିପୋର୍ଟ ଅନୁଯାୟୀ, ଇ-ମେଲ୍ରେ ସମ୍ପୃକ୍ତ କୋଠାରେ ବିସ୍ଫୋରକ ରଖାଯାଇଥିବା ଦାବି କରାଯାଇଥିଲା । ଏପରିକି ଅନ୍ୟ ଏକ ସ୍କୁଲରେ ବିସ୍ଫୋରଣ ଘଟି କେତେକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ମିଛ ଦାବି କରାଯାଇଥିଲା । ଏହା ସହ ଆଗକୁ ଆହୁରି ଏପରି ଘଟଣା ଘଟିବ ଏବଂ ସରକାର ଇସ୍ତଫା ଦେବା ପରେ ଶରିଆ ଆଇନ ଲାଗୁ କରାଯିବ ବୋଲି ଧମକ ଦିଆଯାଇଥିଲା ।

ନଭେମ୍ବର ମାସରେ ୟୁରୋପର ଅନେକ ଦେଶରେ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି । ନଭେମ୍ବର ୧୧ରେ ଇଟାଲୀର ପ୍ରାୟ ୬ ହଜାର ସ୍କୁଲକୁ ବୋମା ଧମକ ମିଳିଥିଲା । ଏହା ପରେ ସ୍କୁଲଗୁଡ଼ିକୁ ଖାଲି କରାଯିବା ସହ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଯାଞ୍ଚ କରିଥିଲେ । ସ୍କଟଲାଣ୍ଡର ପ୍ରାୟ ୧ ହଜାର ସ୍କୁଲ ଏବଂ ଉତ୍ତର ଆୟରଲାଣ୍ଡର ଅତି କମ୍ରେ ୩୦୦ଟି ସ୍କୁଲକୁ ମଧ୍ୟ ସମାନ ଧମକ ମିଳିଥିଲା । ସ୍ପେନରେ ମଧ୍ୟ ୧୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ସତର୍କତାମୂଳକ ଭାବେ ଖାଲି କରାଯାଇଥିଲା ।