ବାରିପଦା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ପ୍ରକୋପ ଜାରି ରହିଥିବା ବେଳେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆଗେଇ ଆସିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ। ସେ ନିଜସ୍ୱ ଦରମା ପାଣ୍ଠିରୁ ବାରିପଦା ସ୍ଥିତ ପି.ଆର.ଏମ୍‌ (PRM) ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୦ଟି ଜମ୍ବୋ କୁଲର୍‌ ଦାନ କରିଛନ୍ତି।

ଏଥି ସହିତ ନିଜ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୩ ଟି ସିଏଚସିକୁ ୧୦ଟି ଜମ୍ବୋ କୁଲର୍‌  ଅର୍ଥାତ ସର୍ବମୋଟ ମୋଟ ୨୦ଟି ଜମ୍ବୋ କୁଲର ଦାନ କରିଛନ୍ତି। ମେଡିକାଲର ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥା ନଥିବାରୁ ଏହି ପ୍ରବଳ ଗରମରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଅନୁରୋଧ କ୍ରମେ ବିଧାୟିକା ନିଜର ମହାନତା ଦେଖାଇ ତୁରନ୍ତ ଏହି କୁଲର୍‌ଗୁଡ଼ିକୁ ଯୋଗାଇ ଦେଇଛନ୍ତି। ଏହି ସମସ୍ତ କୁଲର୍‌କୁ ହସ୍ପିଟାଲର ଏମ୍‌.ସି.ଏଚ୍‌ (MCH) ବିଲ୍ଡିଂ ଏବଂ ମେଡିସିନ୍‌ ୱାର୍ଡରେ ଲଗାଯିବ, ଯାହାଦ୍ୱାରା ରୋଗୀମାନେ ଅସ୍ତବ୍ୟସ୍ତ ଗରମରୁ ରକ୍ଷା ପାଇପାରିବେ।

Also Read: Bahanaga Train Tragedy : ବାହାନଗାକୁ ୩ ବର୍ଷ, ଏବେ ବି ସେ ଯନ୍ତ୍ରଣାର ଚିହ୍ନ ମନରୁ ଲିଭିନି...

ବିଧାୟିକାଙ୍କ ଏଭଳି ସ୍ୱତଃପ୍ରବୃତ୍ତ ଏବଂ ଜନହିତକର କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଅପରପକ୍ଷରେ, ମେଡିକାଲରେ ସେଣ୍ଟ୍ରାଲ୍‌ ଏସି ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପାଣ୍ଠି ମଞ୍ଜୁରୀ ପ୍ରକ୍ରିୟା ଚାଲିଥିବା ଏବଂ ଆସନ୍ତା ଅକ୍ଟୋବର ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ହସ୍ପିଟାଲ ପ୍ରଶାସନ ସୂଚନା ଦେଇଛନ୍ତି।