ଭୁବନେଶ୍ୱର :  ଦିନ ବିତି ଯାଏ ,କିନ୍ତୁ ଯନ୍ତ୍ରଣାର ଚିହ୍ନ ମନରୁ ଲିଭେନି। ଆଉ ଏ ଯନ୍ତ୍ରଣା ବି ସେମିତି ଥିଲା, ଯାହା ଲେଖିଥିଲା ରକ୍ତ, ଯନ୍ତ୍ରଣା ଓ ବିରହର କଷଣ କାହାଣୀ। ଜୀବନ ନେଲା , ଯନ୍ତ୍ରଣା ଭରିଦେଇ ଚାଲିଗଲା। ସେଦିନ ଆଉ ଆଜି ଭିତରେ ବହୁତ କିଛି ବଦଳି ଯାଇଛି। କିନ୍ତୁ ସେହି ରେଳ ଧାରଣା ଅଛି । ସେଦିନର ଅସଜଡ଼ା ଟ୍ରାକ୍ ଅନେକ ଦିନୁ ସଜାଡ଼ି ହୋଇ ଯାଇଛି। ଧାରଣା ଉପରେ ପୁଣି ଗଡ଼ି ଚାଲିଛି କରମଣ୍ଡଳ। ତଥାପି ଗୁମୁରି କାନ୍ଦୁଛି ସେହି ଜାଗା। ୩ବର୍ଷ ତଳେ ଆଜିର ଦିନରେ ଠିକ୍ ଏହି ସମୟ ବେଳକୁ ଏଠି ଶୁଭୁଥିଲା ଯନ୍ତ୍ରଣା ଭରା ଆର୍ତ୍ତ ଚିତ୍କାର । ଜୀବନ ବଞ୍ଚାଇବାର ସଂଘର୍ଷ । ସେଦିନ ଘରୁ ବାହାରିଥିବା ପାଦ ଗୁଡ଼ିକ ଘରକୁ ଫେରି ନାହାନ୍ତି କି ସେ ଦୁଃଖ ପାସୋରି ଯାଇନି।

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ପୂରିଛି ୩ ବର୍ଷ । ୨୦୨୩ ଜୁନ୍ ୨ ତାରିଖ ଏ ଅଶୁଭ ଶୁକ୍ରବାର । ସମୟ ସନ୍ଧ୍ୟା ୬.୪୫ ମିନିଟ୍ । ସେହି କାଳ ସନ୍ଧ୍ୟାରେ ମହାବିପତ୍ତିର କଳାମେଘ ଘୋଡ଼େଇ ଆସିଥିଲା ବାହାନାଗା ଭାଗ୍ୟ ଆକାଶରେ । କିଛି ସେକେଣ୍ଡରେ ଓଲଟପାଲଟ ହୋଇଗଲା ସମସ୍ତଙ୍କ ଜୀବନ ଧାରା। ବଦଳି ଯାଇଥିଲା ସମୟର ଗତି, ଭାଙ୍ଗିରୁଜି ଚୁରମାର୍ ହୋଇଗଲା ୨ଟି ଦ୍ରୁତଗାମୀ ଟ୍ରେନର ଅନେକ ବଗି I କ୍ଷାତକ୍ତ ପୀଡ଼ିତଙ୍କ ଆର୍ତ୍ତ ଚିତ୍କାରରେ ଥରି ଉଠିଥିଲା ବାହାନାଗାର ମାଟି, ପାଣି ଓ ପବନ। ବହିଗଲା ରକ୍ତ ଆଉ ବିଭତ୍ସତାର ଦୃଶ୍ୟ। ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର କରୁଣ ସ୍ୱର । କେହି କିଛି ବୁଝିବା ଆଗରୁ ଆଖିଆଗରେ ଛିଡ଼ା ହୋଇଗଲା ଛାତି ଥରା ଅସହ୍ୟ ଯନ୍ତ୍ରଣାର ଦୃଶ୍ୟ, ଶହଶହ ମୃତ୍ୟୁର ଦୁଃଖ। ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଚାଲିଗଲା ପାଖାପାଖି ୩ଶହ ଜୀବନ । କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିରୁ ଘଟିଥିଲା ଏହି ମହାବିପତ୍ତି । ଦୁର୍ଘଟଣାର ଖବର ବ୍ୟାପିଗଲା ପବନ ବେଗରେ। ଚଳଚଞ୍ଚଳ ହୋଇ ଉଠିଲେ ବାହାନାଗାବାସୀ । ଧାଇଁ ଆସିଲେ ବାହାନାଗ ଓ ଆଖପାଖ ଅଞ୍ଚଳର ସାଧାରଣ ଲୋକେ, ସ୍ୱେଚ୍ଛାସେବୀ । ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ବଗି ଭିତରୁ ଉଦ୍ଧାର କଲେ ହଜାର ହଜାର ଆହତଙ୍କୁ। ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ, ଅଟୋ, କାର, ବାଇକ୍ ଯାହା ମିଳିଲା ବୋହି ନେଇଗଲେ ଆଶୁ ଚିକିତ୍ସା ପାଇଁ । ଦୁର୍ଗତ ଯାତ୍ରୀଙ୍କୁ ଠିକଣା ଜାଗାରେ ପହଞ୍ଚାଇବା କାମରେ ଲାଗିପଡ଼ିଲେ ଅନେକ ଲୋକ । ଉଦ୍ଧାର ହେଲାବି ଅନେକ ମୃତ ଦେହ।

ପଶ୍ଚିମବଙ୍ଗ ସାଲିମାରରୁ ଠିକ୍ ଦିନ ୩.୨୦ରେ ପ୍ଲାଟଫର୍ମ ନଂ-୨ରୁ ବାହାରିଥିଲା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ଚେନ୍ନାଇ ଅଭିମୁଖେ । ସନ୍ଧ୍ୟା ୬ଟା ୩୨ରେ ବାଲେଶ୍ଵର ପହଞ୍ଚିଲା ଏବଂ ୬.୩୭ ରେ ଛାଡ଼ିଲା ଭଦ୍ରକ ଷ୍ଟେସନ ଅଭିମୁଖେ I ସମୟ ପାଖାପାଖି ସନ୍ଧ୍ୟା ୬ ଟା ୫୦ । ଗାଡିର ଗତି ଥାଏ ଘଣ୍ଟାପ୍ରତି ୧୨୮ କିଲୋମିଟର। ଇଞ୍ଜିନ୍ ପାଖରେ ଭିନ୍ନକ୍ଷମଙ୍କ ବଗି । ତା’ ପଛକୁ ଲଗାଲଗି ଦୁଇଟି ସାଧାରଣ ବଗିରେ ଚଢିଥାନ୍ତି ସ୍ଥାନୀୟ ଵାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଯାତ୍ରୀ। ସମସ୍ତେ ଗନ୍ତବ୍ୟ ଠିକଣାର ଅପେକ୍ଷାରେ ଆଆନ୍ତି। କିନ୍ତୁ ରାତିର ଗତିକୁ ପ୍ରତିହତ କରି ଗୋଡ଼ାଇ ଥାଏ ଯମ । ଷ୍ଟେସନ୍ ବାହାନଗା ବଜାର । ୨ଟି ଯାକ ଲୁପ୍ ଲାଇନରେ ଛିଡ଼ା ହୋଇଥାନ୍ତି ୨ଟି ମାଲବାହୀ ଗାଡି । ଅପ୍ ଏବଂ ଡାଉନ୍ ମେନ୍ ଲାଇନରେ ଗ୍ରୀନ ସିଗନାଲ୍ । ଅପ ଲାଇନ୍ରେ କରମଣ୍ଡଳ ଏକ୍ସପ୍ରେସ ଏବଂ ଡାଉନ୍ ଲାଇନରେ ୧୨୨୪୬ ଯଶୋବନ୍ତପୁର-ହାୱଡ଼ା ଦୂରନ୍ତ ଟ୍ରେନ୍ ପାଖାପାଖି ସମାନ ଗତିରେ ମାଡ଼ି ଆସିଥିଲେ । ଯଶୋବନ୍ତପୁର- ହାୱଡ଼ା ଏକ୍ସପ୍ରେସ ଷ୍ଟେସନ ଅତିକ୍ରମ କରିସାରିଥାଏ। ଅପର ଦିଗରୁ ମାଡ଼ି ଆସୁଥାଏ କରମଣ୍ଡଳ । ଅପ୍ ଲାଇନ୍ ପାଇଁ ଜଳୁଥାଏ ସବୁଜ ସଙ୍କେତ, କିନ୍ତୁ ଟ୍ରାକ୍ ରହିଥାଏ ଗ୍ରୁପ୍ ଲାଇନ୍ ଆଡ଼କୁ। ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକରେ ହାତ ପକାଇବା ପୂର୍ବରୁ ସବୁ ସରିଯାଇଥିଲା।

୨୯୬ ମୃତକଙ୍କ ମଧ୍ୟରୁ ୮୧ ଟି ମୃତ ଦେହକୁ ଭୁବନେଶ୍ବର ଏମ୍ସରେ ସଂରକ୍ଷିତ କରି ରଖାଯାଇଥିଲା। ୩୯ଟି ଅଜଣା ଶରୀରର ଡିଏନ୍ଏ ପରୀକ୍ଷା ପରେ ୩୭ ଟିକୁ ହସ୍ତାନ୍ତର କରାଯାଇଥିଲା ୨ଟିର ପରିଚୟ ନମିଳିବାରୁ ସଂସ୍କାର କରାଯାଇଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବିହାରର ପାଟନା, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ର ଆନ୍ଧ୍ରପ୍ରଦେଶର ବହୁ ଯାତ୍ରୀ ଥିଲେ ଟ୍ରେନରେ । ଏହି ଘଟଣା ପରେ ୨୪ ଘଣ୍ଟାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ । ଷ୍ଟେସନ୍ ମାଷ୍ଟରଙ୍କ ସମେତ ଅନେକ ଯନ୍ତ୍ରୀ, କର୍ମଚାରୀଙ୍କୁ ରେଳବାଇ ନିଲମ୍ବନ, ବହିଷ୍କାର ଏବଂ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କିନ୍ତୁ ଭରିନି କ୍ଷତ, ଯାଇନି ଦୁଃଖ। ସେଦିନୁ ବାହାନାଗା ଅଭିଶପ୍ତ। ଅନେକ ଅପମୃତ୍ୟୁର ନୀରବ ସାକ୍ଷୀ, ଅନେକ ପରିବାର ପାଇଁ ସଦା ଅଶୁଭ। ତିନି ବର୍ଷ ପରେ ବି ସେହି ଭୟଙ୍କର କାଳରାତ୍ରୀର ଭୟାବହ ଦୃଶ୍ୟ ମନେ ପଡ଼ିଲେ ବିଚଳିତ ଲାଗେ।

Also Read- Deadly Love Triangle : ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ପିଲାଦିନର ବନ୍ଧୁ ହିଁ ମାଷ୍ଟରମାଇଣ୍ଡ