ଢାକା: ନାହିଦ ରାଣାଙ୍କ ଆଗରେ ପାକିସ୍ତାନର ଆତ୍ମ ସମର୍ପଣ। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୀରପୁର ଢାକାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଆୟୋଜକ ବାଂଲାଦେଶ ପାକିସ୍ତାନକୁ ୧୦୬ ରନରେ ହରାଇଛି। ବାଂଲାଦେଶ କ୍ରିକେଟ୍ ପାଇଁ ଏହା ଐତିହାସିକ ବିଜୟ। କାରଣ ବାଂଲାଦେଶ ନିଜ ମାଟିରେ ପାକିସ୍ତାନ ବିପକ୍ଷରେ ଟେଷ୍ଟରେ ପ୍ରଥମ ବିଜୟ ହାସଲ କରିଛି। ବାଂଲାଦେଶ ବିଜୟରେ ହିରୋ ନଜମୁଲ ହୁସେନ ସାଣ୍ଟୋ ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ଇନିଂସରେ ଶତକ ଏବଂ ଦ୍ଵିତୀୟ ଇନିଂସରେ ଅର୍ଦ୍ଧଶତକ ମାରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ବାଂଲାଦେଶ ପ୍ରଥମ ଇନିଂସରେ ୪୧୩ ରନ

ମେ ୮ରୁ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ପାକିସ୍ତାନ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୧୩ ରନର ବିଶାଳ ସ୍କୋର କରିଥିଲା। ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୦୧ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ମୋମିନୁଲ ହକ ୯୧ ରନ ଓ ମୁସ୍ତାଫିଜୁର ରେହମାନ ୭୧ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ପାକିସ୍ତାନ ପାଇଁ ମହମ୍ମଦ ଅବ୍ବାସ ସବୁଠୁ ସଫଳ ବୋଲର ଭାବେ ୫ ଓ୍ଵିକେଟ୍ ନେଇଥିଲେ।

Also Read: ରିଲିଜ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ-ସୂର୍ଯ୍ୟକୁମାର ନୁହେଁ ଏହି ଖେଳାଳିଙ୍କୁ ମିଳିବ MIର ଦାୟିତ୍ଵ !

୩୮୬ ରନରେ ଅଲଆଉଟ୍ ପାକିସ୍ତାନ

ଜବାବରେ ପାକିସ୍ତାନ ନିଜର ପ୍ରଥମ ଇନିଂସରେ ୩୮୬ ରନ କରିଥିଲା। ପଦାର୍ପଣ ମ୍ୟାଚ୍ ଖେଳିଥିବା ଅଜାନ ଓବୈସ ୧୦୩ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ଅବଦୁଲ୍ଲା ଫଜଲ ୬୦ ରନ, ମହମ୍ମଦ ରିଜଓ୍ଵାନ ୫୯ ରନ ଓ ସଲମାନ ଆଗା ୫୮ ରନର ଉପଯୋଗୀ ଯୋଗଦାନ ଦେଇଥିଲେ। ବାଂଲାଦେଶ ୨୭ ରନର ଅଗ୍ରଣୀ ହାସଲ କରିଥିଲା। ବାଂଲାଦେଶର ସ୍ପିନର ମେହନ୍ଦି ହସନ ମିରାଜ ଶାଣିତ ବୋଲିଂ କରି ୧୦୨ ରନ ବିନିମୟରେ ୫ ଓ୍ଵିକେଟ୍ ନେଇଥିଲେ।

୨୬୮ ରନ ଲକ୍ଷ୍ୟ ଦେଲା ବାଂଲାଦେଶ

ଦ୍ଵିତୀୟ ଇନିଂସରେ ବାଂଲାଦେଶ ଦେଖିଚାହିଁ ବ୍ୟାଟିଂ କରିଥିଲା ଏବଂ ୨୪୦/୯ରେ ପାଳି ସମାପ୍ତି ଘୋଷଣା କରିଥିଲା। ଏଥିରେ ପାକିସ୍ତାନକୁ ୨୬୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଅଧିନାୟକ ସାଣ୍ଟୋ ପୁଣି ଥରେ ଚମତ୍କାର ବ୍ୟାଟିଂ କରି ୮୭ ରନର ପାଳି ଖେଳିଥିଲେ। ମୋମିନୁଲ ମଧ୍ୟ ୫୬ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ନୋମାନ ଅଲ୍ଲୀ ଓ ହସନ ଅଲ୍ଲୀ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Also Read: ବାଂଲାଦେଶ ବିପକ୍ଷ ଟେଷ୍ଟରେ ଧରାପଡ଼ିଲେ ପାକ୍ ପେସର, ଅମ୍ପାୟାରଙ୍କ ସନ୍ଦେହ

ତାସଘର ପରି ଭୁଶୁଡ଼ିଲା ପାକିସ୍ତାନ

୨୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅବଦୁଲ ଫଜଲ(୬୬ ରନ)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ବାଂଲା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ପାକିସ୍ତାନର ଇନିଂସ ତାସଘର ପରି ଭୁଶୁଡ଼ି ପଡ଼ିଥିଲା। ଯୁବ ଦ୍ରୁତ ବୋଲର ନାହିଦ ରାଣା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଘାତକ ବୋଲିଂ କରି ମାତ୍ର ୪୦ ରନ ଦେଇ ୫ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ।