ଢାକା: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ପାକିସ୍ତାନର ଷ୍ଟାର୍ ପେସର ଶାହିନ ଶାହ ଆଫ୍ରିଦି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ 'ବଲ୍ ଟାମ୍ପରିଂ' ବା ବଲ୍ ସହ ଛେଡ଼ଛାଡ଼ କରିଥିବା ଅଭିଯୋଗରେ ସେ ଅମ୍ପାୟାରଙ୍କ ନଜରକୁ ଆସିଥିଲେ। ଢାକାର ଶେର-ଇ-ବାଂଲା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆଫ୍ରିଦି ବଲ୍ର ଆକୃତି ବଦଳାଇବାକୁ ଚେଷ୍ଟା କରୁଥିବା କ୍ୟାମେରାରେ କଏଦ ହୋଇଛି।

କ’ଣ ଥିଲା ଘଟଣା?

ବାଂଲାଦେଶର ଦ୍ୱିତୀୟ ଇନିଂସ ଚାଲିଥିବା ବେଳେ ଶାହିନ ଆଫ୍ରିଦି ନିଜ ସ୍ପାଇକ୍ସ (ଜୋତା) ତଳେ ବଲ୍କୁ ଚାପି ରଖିଥିବା ଦେଖିବାକୁ ମିଳିଥିଲା। ପଡ଼ିଆରେ ଥିବା ଅମ୍ପାୟାର ତୁରନ୍ତ ଏହାକୁ ଦେଖିବା ସହ ବଲ୍କୁ ନିଜ ପାଖକୁ ନେଇ ପରୀକ୍ଷା କରିଥିଲେ। ତେବେ ବଲ୍ରେ କୌଣସି ଅସ୍ବାଭାବିକ ପରିବର୍ତ୍ତନ ଦେଖା ନଯିବାରୁ ଅମ୍ପାୟାର ପୁଣି ଖେଳ ଜାରି ରଖିବାକୁ ଅନୁମତି ଦେଇଥିଲେ। ପୂର୍ବରୁ ପିଏସଏଲ୍ (PSL) ରେ ମଧ୍ୟ ଆଫ୍ରିଦି ଏଭଳି କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ।

 

ମ୍ୟାଚ୍ ସ୍ଥିତି: ବିଜୟ ଲକ୍ଷ୍ୟରେ ବାଂଲାଦେଶ

ବାଂଲାଦେଶ ପ୍ରଥମ ଇନିଂସରେ ୪୧୩ ରନ୍ କରିଥିବା ବେଳେ ପାକିସ୍ତାନ ୩୮୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ଘରୋଇ ଦଳ ୧୭୯ ରନ୍ରେ ଆଗୁଆ ରହିଛି। ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ୫୮ ରନ୍ କରି ଅପରାଜିତ ଥିବା ବେଳେ ମୁସଫିକର ରହିମ ୧୬ ରନ୍ କରି କ୍ରିଜ୍ରେ ଅଛନ୍ତି।

ମୋମିନୁଲଙ୍କ ନୂଆ ରେକର୍ଡ

ଏହି ମ୍ୟାଚରେ ବାଂଲାଦେଶର ମୋମିନୁଲ୍ ହକ ଟେଷ୍ଟ କ୍ରିକେଟରେ ୫,୦୦୦ ରନ୍ର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏଥିସହ ବାଂଲାଦେଶର ତୃତୀୟ ଯୋଡ଼ି ଭାବେ ଶାନ୍ତୋ ଓ ମୋମିନୁଲ୍ ଏକ ଟେଷ୍ଟର ଉଭୟ ଇନିଂସରେ ଶତକୀୟ ଭାଗିଦାରୀ କରିବାର ରେକର୍ଡ କରିଛନ୍ତି।

ଅନ୍ତିମ ଦିନରେ କଡ଼ା ଟକ୍କର

ବାଂଲାଦେଶ ବ୍ୟାଟିଂ କୋଚ୍ ମହମ୍ମଦ ଆଶ୍ରାଫୁଲ୍ ବିଜୟ ନେଇ ଆଶାବାଦୀ ଥିବା ବେଳେ ପାକିସ୍ତାନର ସଲମାନ ଅଲି ଆଘା କହିଛନ୍ତି ଯେ ଦଳ ଯେକୌଣସି ଲକ୍ଷ୍ୟକୁ ପିଛା କରିବାକୁ ପ୍ରସ୍ତୁତ। ମଙ୍ଗଳବାର ଅନ୍ତିମ ଦିନର ଖେଳ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଯଦି ବର୍ଷା ବାଧକ ନସାଜେ, ତେବେ ଉଭୟ ଦଳ ବିଜୟ ପାଇଁ ପୂରା ଦମରେ ଚେଷ୍ଟା କରିବେ।