ପୁରୀ ୨୨।୦୯ : ବୁଧବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି। ୬ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା।

ବାମନ ଜନ୍ମ ନୀତି କ’ଣ ?

ମହାପ୍ରଭୁଙ୍କ ବାମନ ଜନ୍ମକୁ ସ୍ୱତନ୍ତ୍ର ନୀତି ଭାବେ ପାଳନ କରାଯାଇଥାଏ। ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିବେ । ପରେ ତିନି ବାଡ଼ରେ ବନ୍ଦାପନା କରାଯାଇ କଳସ ବରୁଣ ପୂଜା ସମ୍ପନ୍ନ ହେବା ସହ ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ହେବା ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଯିବ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଇବେ। ପରେ ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ କରାଯିବ। ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅବସରରେ ପଇତା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ଵିଧି ମଧ୍ୟ ଅନୁଷ୍ଠିତ ହେବ।

Watch Video:-

​​​​​​​