ନୂଆଦିଲ୍ଲୀ: ଜେଜେବାପାଙ୍କ ସମ୍ପତ୍ତି ଉପରେ ନାତିଙ୍କର ରହିଛି କି ଜନ୍ମଗତ ଅଧିକାର ? ବାପାଙ୍କ ଭାଗରେ ପଡ଼ିଥିବା ସମ୍ପତ୍ତି ଉପରେ ପୁଅ ଦାବି କରିପାରିବେ କି ? ଜେଜେବାପାଙ୍କ ସମ୍ପତ୍ତି, ବାପାଙ୍କ ଭାଗ, ଆଉ ନାତିଙ୍କ ଅଧିକାର । ତିନିପିଢ଼ିର ସମ୍ପତ୍ତି ବିବାଦକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ କହିଛନ୍ତି, ଜେଜେବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁସାରେ ବାପାଙ୍କ ଭାଗର ସମ୍ପତ୍ତି ତାଙ୍କର ବ୍ୟକ୍ତିଗତ । ଏହା ଉପରେ ପୁଅ ଜନ୍ମଗତ ଅଧିକାର ନାହିଁ । ଏହା ସହିତ ସୁପ୍ରିମକୋର୍ଟ ପୈତୃକ ବା ଯୌଥ ପରିବାରର ସମ୍ପତ୍ତି ଏବଂ ଉତ୍ତରାଧିକାର ସୂତ୍ରରେ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ପାର୍ଥକ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଜେଜେବାପାଙ୍କ ସମ୍ପତ୍ତିକୁ ନେଇ ନାତିଙ୍କ ଦାବି । ଆଉ ଏହି ଦାବି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ମାମଲାଟି ତାମିଲନାଡୁର ଚେନ୍ନାଇ ସହରର । ଏନ୍.ରାମକୃଷ୍ଣନଙ୍କ ୧୮୧୧ ବର୍ଗଫୁଟର ଏକ ସମ୍ପତ୍ତି ଥିଲା । ତାଙ୍କ ମୃତ୍ୟୁ ପରେ ପୁଅ ଓ ଝିଅଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନକୁ ନେଇ ବିବାଦ ହୋଇଥିଲା । ୧୯୯୩ରେ ରାମକୃଷ୍ଣନଙ୍କ ଝିଅ ସମ୍ପତ୍ତି ବଣ୍ଟନ ପାଇଁ ମାମଲା କରିଥିଲେ । ପରେ ୧୯୯୪ ମସିହାରେ ଏକ ସମ୍ମତିଭିତ୍ତିକ କୋର୍ଟ ରାୟ ଅନୁସାରେ ସମ୍ପତ୍ତି ବଣ୍ଟନ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୯୭ ମସିହାରେ ବାପା ଏହି ଜମିକୁ ବିକ୍ରି କରିଦେଇଥିଲେ । କିନ୍ତୁ ନାତି ଏହାକୁ ପୈତୃକ ସମ୍ପତ୍ତି ଦର୍ଶାଇ ଏଥିରେ ନିଜର ଅଧା ଭାଗ ଦାବି କରିଥିଲେ । ମାଆଙ୍କ ଜରିଆରେ ସେ ୧୯୯୭ରେ ଅଦାଲତରେ ମାମଲା ଦାୟର କରିଥିଲେ । ଦୀର୍ଘ ୨୯ ବର୍ଷ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହ ଏବଂ ଜଷ୍ଟିସ୍ ସୁନିତା ଅଗ୍ରୱାଲଙ୍କ ଖଣ୍ଡପୀଠ କହିଛନ୍ତି, ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୮ ଅନୁସାରେ ଜେଜେବାପାଙ୍କ ସମ୍ପତ୍ତି ତାଙ୍କ ପ୍ରଥମ ଆଇନଗତ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହେବ । ଏହି ଉତ୍ତରାଧିକାରୀଙ୍କ ମଧ୍ୟରେ ପତ୍ନୀ, ପୁଅ, ଝିଅ ଓ ମାଆ ରହିଛନ୍ତି । ସେମାନଙ୍କୁ ମିଳିଥିବା ଅଂଶ ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି । ତେଣୁ ବାପାଙ୍କୁ ମିଳିଥିବା ସମ୍ପତ୍ତି ଉପରେ ତାଙ୍କ ପୁଅ ଜନ୍ମରୁ ଅଧିକାର ଦାବି କରିପାରିବେ ନାହିଁ । ଏପରିକି ବାପା ନିଜ ଭାଗର ସମ୍ପତ୍ତିକୁ ବିକ୍ରି କରିବା, ଦାନ କରିବା କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କରିବାର ଅଧିକାର ରଖିଛନ୍ତି ।

ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି, ପୈତୃକ ବା ଯୌଥ ପରିବାରର ସମ୍ପତ୍ତି ଏବଂ ଉତ୍ତରାଧିକାର ସୂତ୍ରରେ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ପାର୍ଥକ୍ୟ ରହିଛି । ପୈତୃକ ସମ୍ପତ୍ତିରେ ଜନ୍ମରୁ ଅଧିକାର ମିଳିପାରେ । କିନ୍ତୁ ଧାରା ୮ ଅନୁସାରେ ବାପାଙ୍କୁ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତିରେ ପୁଅର ଜନ୍ମଗତ ଅଧିକାର ନାହିଁ । ଶେଷରେ ନାତିଙ୍କ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ ଏୟା ନୁହେଁ ଯେ, ପ୍ରତ୍ୟେକ ପରିସ୍ଥିତିରେ ନାତି ବା ନାତୁଣୀ ଜେଜେବାପାଙ୍କ ସମ୍ପତ୍ତିରୁ ବଞ୍ଚିତ ହେବେ । ସମ୍ପତ୍ତିର ପ୍ରକୃତି, ଏହା କିପରି ହସ୍ତାନ୍ତର ହୋଇଛି ଏବଂ ପ୍ରଯୁଜ୍ୟ ଆଇନ ଉପରେ ଅଧିକାର ନିର୍ଭର କରିବ । ତେଣୁ ପୈତୃକ ସମ୍ପତ୍ତି ଓ ଉତ୍ତରାଧିକାର ସୂତ୍ରରେ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ଥିବା ଆଇନଗତ ପାର୍ଥକ୍ୟକୁ ଏହି ରାୟ ପୁଣିଥରେ ସ୍ପଷ୍ଟ କରିଛି ।