ବାଗପତ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ମୁତୟନ ଜଣେ ଜବାନ ସୌରଭ ତୋମାରଙ୍କୁ ରବିବାର ତାଙ୍କ ଗ୍ରାମରେ ଏକ ବିବାଦ ବେଳେ ଗୁଳି କରାଯାଇଥିଲା। ଏହି ଘଟଣା ୮ ନଭେମ୍ବର ରାତି ଉତ୍ତରପ୍ରଦେଶ ବାଗପତର ରମାଲ ଥାନା ଅଞ୍ଚଳ ଅନ୍ତର୍ଗତ ଗୋପାଳପୁର ଖାଡ଼ନା ଗାଁରେ ହୋଇଥିଲା। ରିପୋର୍ଟ ଅନୁସାରେ ଗୁଳି ସୌରଭଙ୍କ କାନମୁଣ୍ଡାରେ ବାଜିଥିଲା। ଆହତ ସୈନିକଙ୍କ ମୁଣ୍ଡରେ ବାଜିଥିବା ଗୁଳି ବାହାର କରିବା ପାଇଁ ମିରଟର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା।

ଏ ନେଇ ସୌରଭଙ୍କ ପିତା ଜନକରାଜଙ୍କ ଲିଖିତ ଅଭିଯୋଗ ଆଧାରରେ ରମାଲା ପୋଲିସ ଷ୍ଟେସନରେ ଏକ ମୋକଦ୍ଦମା ରୁଜୁ ହୋଇଛି। ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୩ଟି ପୋଲିସ ଟିମ୍ ଗଠନ କରାଯାଇଛି ଓ ସେମାନଙ୍କୁ ଗିରଫ ଲାଗି ଉଦ୍ୟମ କରାଯାଉଛି। ଗୋପାଳପୁର ଖଡାନାର ବାସିନ୍ଦା ସୌରଭ ୨୦୨୧ ମସିହାରେ ସେନାରେ ଯୋଗ ଦେଇଥିଲେ ଓ ସେ ଏବେ ରାଷ୍ଟ୍ରପତି ଭବନରେ ମୁତୟନ ଅଛନ୍ତି। ସେ ଦୀପାବଳି ପାଳିବା ପାଇଁ ଛୁଟିରେ ଗାଁକୁ ଆସିଥିଲେ।

ରାଷ୍ଟ୍ରପତିଙ୍କ ଦେହରକ୍ଷୀ ସୈନିକ ତୋମାରଙ୍କୁ ଦୀପାବଳିରେ ଆତସବାଜୀ କୁ ନେଇ ବିବାଦ ଯୋଗୁ ଗୁଳି କରାଯାଇଥିବା ବେଳେ ସେ ଏବେ ଗୁରୁତର ଅଛନ୍ତି। ରବିବାର ରାତିରେ ସୌରଭ ତାଙ୍କ ଭାଇ ବିନିତ ଓ ମିଣ୍ଟୁଙ୍କ ସହିତ ଘର ବାହାରେ ଆତସବାଜୀ କରୁଥିଲେ। ସେତେବେଳେ ଦୁଇଗ୍ରାମବାସୀ ଧିରଜ ଓ ପ୍ରବୀଣଙ୍କ ସହ ଝଗଡ଼ା ହୋଇଥିଲା। ରିପୋର୍ଟ ଅନୁସାରେ ଯେତେବେଳେ ଝଗଡ଼ା ବଢି ଯାଇଥିଲା ପ୍ରବୀଣ ଏକ ଦେଶୀ ବନ୍ଧୁକରୁ ସୌରଭ ଙ୍କ ମୁଣ୍ଡକୁ ଗୁଳି କରିଥିଲା। ଏହି ଗୁଳିଟି ପ୍ରଥମେ କାନ୍ଥରେ ବାଜି ସୌରଭଙ୍କ ମୁଣ୍ଡରେ ବାଜିଥିଲା। ଏବେ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ପୋଲିସ ସୌରଭଙ୍କ ପିତା ଜନକରାଜଙ୍କ ଅଭିଯୋଗ ଆଧାରରେ ମୋକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୩ଟି ଟିମ୍ ଗଠନ କରିଛି। ଏହି ଘଟଣାର ପରବର୍ତ୍ତି ଯାଞ୍ଚ ଜାରି ରହିଛି।