ନାଗପୁର: ନାଗପୁରରେ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ପତ୍ନୀଙ୍କ ସହ ଘଟିଥିବା ଏକ ଅତି ସଂବେଦନଶୀଳ ଓ ହୃଦୟବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା, ଅଶ୍ଳୀଳ ଭିଡିଓ ସାହାଯ୍ୟରେ ବ୍ଲାକମେଲ୍ କରି ଲକ୍ଷାଧିକ ଟଙ୍କା ଲୁଟିବା ଏବଂ ଜବରଦସ୍ତି ଧର୍ମାନ୍ତରୀକରଣ କରିବା ଭଳି ସଂଗୀନ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଏହି ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଛି । ଏଥିରେ ପୀଡ଼ିତା ଜଣଙ୍କ ଚିତ୍କାର କରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଜବରଦସ୍ତି କାବୁ କରି କିଛି ଧାର୍ମିକ ରୀତିନୀତି କରୁଥିବା ଦେଖାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ପ୍ରପର୍ଟି ଡିଲିଂ (ଜମିବାଡ଼ି କିଣାବିକା) କାମ କରନ୍ତି। ତାଙ୍କ ସ୍ୱାମୀ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଏବଂ ଅନ୍ୟ ଏକ ସହରରେ ପୋଷ୍ଟିଂ ପାଇଛନ୍ତି। ୨୦୨୫ ଫେବୃଆରୀ ମାସରେ ମହିଳାଙ୍କ ପୁରୁଣା ସହପାଠୀ ଆୟାଜ ତାଜ ମଦାରେ ଜମି କିଣିବା ବାହାନାରେ ତାଙ୍କ ସହ ଯୋଗାଯୋଗ କରିଥିଲା ଏବଂ ତାଙ୍କୁ ୱାର୍ଧା ରୋଡ୍ ସ୍ଥିତ ଏକ ହୋଟେଲକୁ ଡକାଇଥିଲା। ସେଠାରେ ଅଭିଯୁକ୍ତ ଯୁବକ, ମହିଳାଙ୍କୁ ନିଶା ମିଶ୍ରିତ ଜୁସ୍ ପିଇବାକୁ ଦେଇଥିଲା। ମହିଳା ଅଚେତ ହୋଇଯିବା ପରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିବା ସହ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ରଖିଥିଲା।

ବ୍ଲାକମେଲିଂ ଓ ଆର୍ଥିକ ଶୋଷଣ

ପ୍ରଥମ ଥର ଦୁଷ୍କର୍ମ କରିବା ପରେ ଆୟାଜ ସେହି ଅଶ୍ଳୀଳ ଭିଡିଓଗୁଡ଼ିକୁ ଭାଇରାଲ କରିଦେବାକୁ ଧମକ ଦେଇ ମହିଳାଙ୍କୁ ବାରମ୍ବାର ବ୍ଲାକମେଲ୍ କରିଥିଲା।ଭିଡିଓ ଦେଖାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବାରମ୍ବାର ଶାରୀରିକ ଶୋଷଣ କରିଥିଲା। ସମାଜରେ ବଦନାମ ହେବା ଭୟରେ ମହିଳା ଅଭିଯୁକ୍ତକୁ ବିଭିନ୍ନ ସମୟରେ ପ୍ରାୟ ୩.୦୯ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। କେବଳ ଶାରୀରିକ ଓ ଆର୍ଥିକ ଶୋଷଣ ନୁହେଁ, ବରଂ ମହିଳାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ମଧ୍ୟ ମାନସିକ ଚାପ ପ୍ରୟୋଗ କରାଯାଇଥିଲା ବୋଲୀ ପୀଡ଼ିତା ଅଭିଯୋଗ କରିଛନ୍ତି ।

୨୦୨୫ ମେ ମାସରେ ଅଭିଯୁକ୍ତ ଆୟାଜ ମହିଳାଙ୍କୁ ନାଗପୁରର କଲମେଶ୍ୱର ଅଞ୍ଚଳକୁ ନେଇଯାଇଥିଲା। ସେଠାରେ ଆମିନ ଶେଖ ଏବଂ ହଜରତ ମୌଲାନା ନାମକ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ସହ ମିଶି ସେମାନେ ମହିଳାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଜବରଦସ୍ତି କିଛି ଧାର୍ମିକ ରୀତିନୀତି କରାଯାଇ ମହିଳା ମୁସଲମାନ ହୋଇସାରିଛନ୍ତି ବୋଲି ଦାବି କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓଟି ସେହି ସମୟର ବୋଲି ଜଣାପଡ଼ିଛି, ଯେଉଁଥିରେ ପୀଡ଼ିତା ନିଜକୁ ରକ୍ଷା କରିବା ପାଇଁ ଚିତ୍କାର କରୁଛନ୍ତି। ଏହି ଘଟଣା ପରେ ମଧ୍ୟ ତାଙ୍କ ସହ ପୁଣି ଥରେ ଅସଦାଚରଣ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ଏହି ସମ୍ପୂର୍ଣ୍ଣ ଘଟଣାଟି ପ୍ରାୟ ଏକ ବର୍ଷ ପୁରୁଣା ହୋଇଥିଲେ ସୁଦ୍ଧା ମହିଳା ଭୟରେ ଚୁପ୍ ଥିଲେ। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ଡ୍ୟୁଟିରୁ ଘରକୁ ଫେରିବା ପରେ ମହିଳା ସାହସ କରି ତାଙ୍କୁ ସବୁ କଥା ଜଣାଇଥିଲେ। ସ୍ୱାମୀଙ୍କ ସହଯୋଗରେ ନାଗପୁରର ସୋନେଗାଓଁ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲେ ପୀଡ଼ିତା । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ବିଭିନ୍ନ ସଂଗୀନ ଧାରାରେ ମାମଲା ରୁଜୁ କରିଛି ।ପୋଲିସ ମୁଖ୍ୟ ଅଭିଯୁକ୍ତ ଆୟାଜ ତାଜ ମଦାରେ ଏବଂ ଆମିନ ଶେଖକୁ ଗିରଫ କରିସାରିଛି। ଫେରାର ଅଭିଯୁକ୍ତ ମଧ୍ୟପ୍ରଦେଶର ତାମିଆ ବାସିନ୍ଦା 'ହଜରତ ମୌଲାନା'କୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି।