ନୂଆଦିଲ୍ଲୀ,୨୮/୦୪ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ମାତ୍ର ୭୫ ରନ୍ କରିପାରିଥିଲା । ଦଳର ୮ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରି ନଥିଲେ । ୭୬ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ଆରସିବି ହାସଲ କରିନେଇଥିଲା । ଦଳ ମାତ୍ର ଗୋଟିଏ ଓ୍ୱିକେଟ୍ ହରାଇ ବିଜେତା ହୋଇଥିଲା । ତେବେ ଡିସିର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ଅଧିନାୟକ ଅକ୍ଷର ପଟେଲ୍ ।

ଅକ୍ଷର କହିଛନ୍ତି ଯେ, ଦଳ ଅତି ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି । ଏବେ କିପରି ଦଳର ଆତ୍ମବିଶ୍ୱାସ ବୃଦ୍ଧି କରାଯିବ ଏହା ତାଙ୍କର ଦାୟିତ୍ୱ । ଅଧିନାୟକ ଭାବେ ସେ ବହୁତ କିଛି ଶିଖିବାକୁ ପାଇଛନ୍ତି । ଅନେକ ଦାୟିତ୍ୱ ରହିଛି । ଖାଲି ଖେଳାଳି ନୁହେଁ ବରଂ ସପୋର୍ଟ ଷ୍ଟାଫ୍ ମଧ୍ୟ ଏପରି ପରାଜୟରେ ଭାଙ୍ଗି ପଡିଛନ୍ତି । ସେମାନଙ୍କୁ ମୋଟିଭେଟ୍ କରାଯିବା ଦରକାର । ନିଜ ନିୟନ୍ତ୍ରଣରେ ଯାହା ରହିଛି ତାହା କରିବା ଆବଶ୍ୟକ ।

ଦଳରେ ପରିବର୍ତ୍ତନକୁ ନେଇ ଅକ୍ଷର କହିଛନ୍ତି ଯେ, ଅଧିକ ପରିବର୍ତ୍ତନ କଲେ ଭଲ ରେଜଲ୍ଟ୍ ମିଳେନାହିଁ । କିନ୍ତୁ ମାନସିକ ଭାବେ ଦୃଢ଼ ହେବାକୁ ପଡିବ । ଯାହା ଦଳକୁ ଆଗକୁ ବଢାଇବେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏକ ଭଲ ମାଇଣ୍ଡସେଟ୍ ର ଆବଶ୍ୟକତା ରହିଛି । ଗତ ମ୍ୟାଚରେ ଦିଲ୍ଲୀ ବହୁତ ବଡ ସ୍କୋର୍ କରିଥିଲା । ତଥାପି ପଞ୍ଜାବ୍ ଏହାକୁ ଚେଜ୍ କରିଥିଲା । ବାଙ୍ଗାଲୋର ବିପକ୍ଷ ମୁକାବିଲାରେ ଖେଳାଳିଙ୍କ ମୁଣ୍ଡରେ ପୂର୍ବ ମ୍ୟାଚ୍ କଥା ଚାଲିଥିଲା । ତେଣୁ ଆଶଙ୍କା ଏବଂ ଅନୁମାନ ପାଇଁ ଶୀଘ୍ର ଦଳ ଓ୍ୱିକେଟ୍ ହରାଇଥିଲା । ମାତ୍ର ୧୫ରୁ ୧୬ ବଲ୍ ଭିତରେ ଦଳ ୬ଟି ଓ୍ୱିକେଟ୍ ହରାଇଥିଲା ।

ଏହାସହ ସେ କହିଛନ୍ତି ଯେ, ଆଇପିଏଲରେ ସବୁ ମ୍ୟାଚରେ ଚାପ ରହିଥାଏ । କେବଳ ଆରସିବି ବିପକ୍ଷ ମ୍ୟାଚରେ ଚାପ ରହିଥାଏ କହିବା ଭୁଲ ହେବ । ଚାପ ଥିଲେ ବି ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ପଡିବ । କିପରି ପଛକଥାକୁ ଭୁଲି ଆଗକୁ ଟିମ୍ ବଢିବ ସେନେଇ ସେ କାର୍ଯ୍ୟ କରିବେ ବୋଲି ଅକ୍ଷର କହିଛନ୍ତି ।