ନୂଆଦିଲ୍ଲୀ, ୦୪/୦୯: ଏସିଆ କପରେ ଭାରତ କ୍ରମାନ୍ୱୟରେ ଦ୍ଵିତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ରହି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ୍-ଏ'ର ଏକ ମ୍ୟାଚ୍ରେ ଦଳ ୧୩୭ରନରେ ହଂକଂକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ସ୍ମୃତି ମନ୍ଧନାଙ୍କ ଧୂଆଁଧାର ଶତକ ବଳରେ ୫ ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା। ଜବାବରେ ହଂଙ୍କ ୧୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ମନ୍ଧନା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ଟସ୍ ଜିତି ଫିଲ୍ଟି ନିଷ୍ପତ୍ତି ନେବା ହଂକଂ ପାଇଁ ମହଙ୍ଗା ପଡ଼ିଥିଲା। ଭାରତର ଦୁଇ ଓପନର ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ୪୮ ବଲ୍ରେ ୭୪ ରନ୍ ସଂଗ୍ରହ କରିଥିଲେ। ଶେଫାଳି ୧୭ବଲ୍ରେ ଦ୍ରୁତ ୨୮ (୩ଚୌକା, ୨ଛକା) ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ବ୍ୟାଟରମାନେ ରନ୍ ପାଇଁ ସଂଘର୍ଷ କରିଥିଲେ। ମାତ୍ର ମନ୍ଧନାଙ୍କ ଦମଦାର ବ୍ୟାଟିଂ ଜାରି ରହିଥିଲା। ସେ ୪୦ ବଲ୍ ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ପରବର୍ତ୍ତୀ ୧୫ଟି ବଲ୍ ମଧ୍ୟରେ ଶତକ ପୂରଣ କରିଥିଲେ।

Also Read :- ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ, ୬୪ ବଲ୍‌ରେ ୧୨୪ ରନ୍

ଟି-ଟ୍ୱେଣ୍ଟିରେ ଏହା ତାଙ୍କର ଦ୍ବିତୀୟ ଶତକ ରହିଥିଲା । ଏଥିସହ ତାଙ୍କ ନାମରେ ଏକାଧିକ ରେକର୍ଡ଼ ଯୋଡ଼ି ହୋଇଥିଲା। ଅନ୍ତର୍ଜାତୀୟ ମହିଳା କ୍ରିକେଟ୍ରେ ସେ ସର୍ବାଧିକ ରନ୍ ହାସଲକାରୀ ବ୍ୟାଟର ଏବଂ ସର୍ବାଧିକ ଶତକ ରେକର୍ଡ ସ୍ଥାପନ କରିଥିଲେ। ଅନ୍ୟ ପଟରେ ପ୍ରତୀକା ରାଷ୍ଟ୍ରଲ ୧୦, ରିଚା ଘୋଷ ୧୧ ଓ ଅଧିନାୟିକା ହର୍ମନପ୍ରୀତ କୌର ୧୦ରନ୍ ଯୋଗ କରି ପାଭିଲିୟନ ଫେରିଥିଲେ। ଅନ୍ତିମ ଓଭରରେ ମନ୍ଧନା ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୬୪ଟି ବଲର ସାମ୍ନା କରି ୧୨୪ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ମନ୍ଧନା ୧୪ଟି ଚୌକା ଓ ୭ଟି ଛକା ମାରିଥିଲେ। ଭାରତୀ ଫୁଲମାଳି (୨) ଓ ଦୀପ୍ତି ଶର୍ମା (୧) ଅପରାଜିତ ରହି ଦଳୀୟ ସ୍କୋରକୁ ୫/୧୯୩ରେ ପହଞ୍ଚାଇଥିଲେ।

୧୯୪ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ହଂକଂ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ। ଫଳରେ ହଂଙ୍କ ଇନିଂସ୍ ୫୬ରନ୍ରେ ସୀମିତ ରହିଥିଲା। ଦଳ ପକ୍ଷରୁ ନତାଶା ମାଇଲ୍ସ ୧୫, ମାରିନା ଲାମ୍ପଲୋ ୧୪ ଓ ଯସ୍ମିନ ଦାସଓ୍ବାନି ୧୧ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ଟି ଏବଂ ନନ୍ଦନୀ ଶର୍ମା, ଶ୍ରୀ ଚରଣୀ ଓ ପ୍ରେମା ରାୱତ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।