ଦୁବାଇ: ହଂକଂ ବିପକ୍ଷ ମହିଳା ଏସିଆ କପ୍ ୨୦୨୬ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ବିଶ୍ୱ ରେକର୍ଡ କଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର୍ ସ୍ମୃତି ମନ୍ଧାନ। ମନ୍ଧାନାଙ୍କ ଧୂଆଁଧାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଛି। ହଂକଂକୁ ମ୍ୟାଚ୍ ଜିତିବାକୁ ହେଲେ ୧୯୪ ରନ୍ର ଟାର୍ଗେଟ୍ ହାସଲ କରିବାକୁ ପଡ଼ିବ। ଦୁବାଇରେ ଖେଳାଯାଉଥିବା ଆଜିର ଏହି ମ୍ୟାଚ୍‌ରେ ମନ୍ଧାନା ମାତ୍ର ୬୪ ବଲ୍‌ରେ ୧୨୪ ରନ୍ କରିଛନ୍ତି। ଯେଉଁଥିରେ ସେ ୧୪ଟି ଚୌକା ଓ ୭ଟି ଛକା ମାରିଛନ୍ତି। ଏହି ସମୟରେ ମନ୍ଧାନଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୯୩.୭୫ ।

ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ

ଏହି ଶତକ ସହିତ ସ୍ମୃତି ମନ୍ଧାନା ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟର୍ ହୋଇଛନ୍ତି। ତାଙ୍କ ନାଁରେ ଏବେ ମୋଟ ୧୮ଟି ଅନ୍ତର୍ଜାତୀୟ ଶତକ ରହିଛି। ଏହା ସହିତ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମେଗ୍ ଲାନିଂଙ୍କ ୧୭ଟି ଶତକର ରେକର୍ଡକୁ ପଛରେ ପକାଇଛନ୍ତି। ଦକ୍ଷିଣ ଆଫ୍ରିକାର ବ୍ୟାଟର ଲୌରା ୱଲଭାର୍ଟଙ୍କ ନାଁରେ ମଧ୍ୟ ୧୭ଟି ଅନ୍ତର୍ଜାତୀୟ ଶତକ ରହିଛି।

ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ

୧୮ – ସ୍ମୃତି ମନ୍ଧାନା
୧୭ – ମେଗ୍ ଲାନିଂ
୧୭ – ଲୌରା ୱଲଭାର୍ଟ
୧୫ – ହେଲି ମାଥ୍ୟୁଜ୍
୧୪ – ସୁଜି ବେଟ୍ସ
୧୪ – ଟାମି ବିଉମଣ୍ଟ

୧୭ ବଲ୍‌ରେ ୫୦ରୁ ୧୦୦ ପର୍ଯ୍ୟନ୍ତ ବିସ୍ଫୋରକ ଖେଳ

ଆଜିର ମ୍ୟାଚ୍‌ରେ ହଂକଂ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ଓପନିଂ କରିବାକୁ ଆସିଥିବା ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ଜବରଦସ୍ତ ଆରମ୍ଭ କରିଥିଲେ। ହେଲେ ଲେଡି ସେହୱାଗ୍ ଭାବରେ ଜଣାଶୁଣା ଶେଫାଳୀ ମାତ୍ର ୧୭ ବଲ୍‌ରେ ୨୮ ରନ୍ କରି ଆଉଟ୍ ହେବା ପରେ ହଂକଂ ଦଳ କିଛି ସମୟ ପାଇଁ ଭାରତୀୟ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। କିନ୍ତୁ ଅନ୍ୟପଟେ ମନ୍ଧାନା ନିଜ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ। ସେ ୪୦ ବଲ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ବିସ୍ଫୋରକ ବ୍ୟାଟିଂ କରି ରନର ଗତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଥିଲେ। ମାତ୍ର ୧୭ ବଲ୍‌ରେ ୫୦ରୁ ୧୦୦ ରନ୍‌ରେ ପହଞ୍ଚିଥିଲେ ମନ୍ଧାନା। ୫୭ଟି ବଲ୍‌ରେ ଶତକ ପୂରଣ କରି ସେ ହଂକଂ ବୋଲରଙ୍କ ନିଦ ହଜାଇ ଦେଇଥିଲେ।

Also Read- ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ BCCI ସମୀକ୍ଷା ବୈଠକ, ବଡ଼ ବୟାନ ଦେଲେ ଯୁଗ୍ମ ସମ୍ପାଦକ ଦେବଜିତ୍ ସାଇକିଆ

ମହିଳା ଟି-୨୦ ଏସିଆ କପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର

୧୨୪ ରନ୍‌ର ଏହି ଇନିଂସ୍ ସହିତ ମନ୍ଧାନା ମହିଳା ଟି-୨୦ ଏସିଆ କପ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଏସିଆକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟରମାନେ ହେଲେ- 

ମହିଳା ଟି-୨୦ ଏସିଆ କପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର
୧୨୪ – ସ୍ମୃତି ମନ୍ଧାନା, ଭାରତ ବନାମ ହଂକଂ, ଦୁବାଇ, ୨୦୨୬
୧୧୯ – ଚମାରି ଆଟାପଟୁ, ଶ୍ରୀଲଙ୍କା ବନାମ ମାଲେସିଆ, ଦାମ୍ବୁଲା, ୨୦୨୪
୯୭ – ମିଥାଲି ରାଜ୍, ଭାରତ ବନାମ ମାଲେସିଆ, କୁଆଲାଲମ୍ପୁର, ୨୦୧୮
୮୧ – ହର୍ଷିତା ସମରବିକ୍ରମା, ଶ୍ରୀଲଙ୍କା ବନାମ ଥାଇଲ୍ୟାଣ୍ଡ, ୨୦୨୨
୮୧ – ଶେଫାଳୀ ବର୍ମା, ଭାରତ ବନାମ ନେପାଳ, ୨୦୨୪

ଶେଷ ଓଭରରେ ରନ୍ଆଉଟ୍ ହେଲେ ମନ୍ଧାନା

ମନ୍ଧାନାଙ୍କ ଧମାକାଦାର ଇନିଂସର ଶେଷ ହେଲା ଏକ ଅପ୍ରତ୍ୟାଶିତ ରନ୍ଆଉଟ୍‌ରେ। ଇନିଂସର ଶେଷ ଓଭରରେ ଭାରତୀ ଫୁଲମାଲି ଏକ ୟରକର୍‌ ବଲ୍‌କୁ ପଏଣ୍ଟ ଦିଗକୁ ଖେଳିବା ପରେ ମନ୍ଧାନା ସିଙ୍ଗଲ୍ ନେବାକୁ ଦୌଡ଼ିଥିଲେ। ହେଲେ ହଂକଂର ଇକ୍ରା ସାହାରଙ୍କ ସିଧା ଥ୍ରୋ ସିଧାସଳଖ ଷ୍ଟ୍ରାଇକର୍ ଏଣ୍ଡର ଷ୍ଟମ୍ପ୍‌ରେ ଲାଗିଥିଲା। ମନ୍ଧାନା କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ରନ୍ଆଉଟ୍ ହୋଇଥିଲେ। ତେବେ ଏହା ପୂର୍ବରୁ ମନ୍ଧାନା ଭାରତକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇସାରିଥିଲେ। ତାଙ୍କ ୧୨୪ ରନ୍ ଭାରତର ମୋଟ ସ୍କୋରର ପ୍ରାୟ ଦୁଇ-ତୃତୀୟାଂଶ ଥିଲା।

ଭାରତ ପକ୍ଷରୁ ଶେଫାଳି ବର୍ମା ୨୮ ରନ୍, ରିଚା ଘୋଷ ୧୧ ରନ୍ ଏବଂ ହରମନପ୍ରୀତ କୌର ୧୦ ରନ୍ କରିଥିଲେ। ଦୀପ୍ତି ଶର୍ମା ୧ ରନ୍‌ରେ ଅପରାଜିତ ଥିଲେ। ହଂକଂ ପକ୍ଷରୁ ମାରିନା ଲାମ୍ପ୍ଲୋ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଜୟଲିନ୍ କୌର, ରୁଚିତା ଭେଙ୍କଟେଶ ଓ ଇକ୍ରା ସାହାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସ୍ମୃତି ମନ୍ଧାନାଙ୍କ ଏହି ରେକର୍ଡଭରା ଇନିଂସ୍ ଫଳରେ ଭାରତ ହଂକଂ ସମ୍ମୁଖରେ ୧୯୪ ରନର କଠିନ ଲକ୍ଷ୍ୟ ରଖିଛି।