ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍‌ମୀ ପାର୍ଟି’ (AAP) ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଘବ ଚଢ଼ା ଏବଂ ସନ୍ଦୀପ ପାଠକଙ୍କ ସମେତ ଦଳ ଛାଡ଼ିଥିବା ୭ ଜଣ ରାଜ୍ୟସଭା ସାଂସଦଙ୍କ ଉପରେ ବର୍ଷିଛନ୍ତି। ଦଳ ସହ ହୋଇଥିବା ଏହି ବିଶ୍ୱାସଘାତକତାକୁ ଏକ ‘ରାଜନୈତିକ ଶିକ୍ଷା’ ବୋଲି ବର୍ଣ୍ଣନା କରି କେଜ୍ରିୱାଲ କହିଛନ୍ତି ଯେ, ଏଣିକି ଭବିଷ୍ୟତରେ କାହାକୁ ବି ରାଜ୍ୟସଭା ପଠାଇବା ପୂର୍ବରୁ ଦଳ ୧୦୦ ଥର ଯାଞ୍ଚ କରିବ। 

କେଜ୍ରିୱାଲ କହିଛନ୍ତି ଯେ, ରାଘବ ଚଢ଼ା, ସନ୍ଦୀପ ପାଠକ ଏବଂ ଅନ୍ୟ ୫ ଜଣ ସାଂସଦଙ୍କୁ ଜନସାଧାରଣ ସିଧାସଳଖ ନିର୍ବାଚିତ କରିନଥିଲେ, ବରଂ ‘ଆମ୍ ଆଦ୍‌ମୀ ପାର୍ଟି’ ନିଜ ବିଶ୍ୱାସ ଆଧାରରେ ସେମାନଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତେଣୁ ସେମାନେ ଦଳକୁ ଧୋକା ଦେଇଛନ୍ତି। ରାଜ୍ୟସଭା ସାଂସଦଙ୍କ  ଚୟନ ପ୍ରକ୍ରିୟାରେ ଏହା ଆମ ପାଇଁ ଏକ ବଡ଼ ଶିକ୍ଷା। ଏବେ କାହାକୁ ରାଜ୍ୟସଭା ପଠାଇବା ପୂର୍ବରୁ ସେହି ବ୍ୟକ୍ତିଙ୍କ ନିଷ୍ଠା ଓ ଚରିତ୍ରକୁ ୧୦୦ ଥର ଯାଞ୍ଚ କରାଯିବ। 

କାହିଁକି ଆପ୍‌ ଛାଡ଼ିଲେ ଚଢ଼ା ?
୨୦୨୬ ଏପ୍ରିଲ ମାସରେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ବିକ୍ରମ ସାହନୀ ଏବଂ ରାଜିନ୍ଦର ଗୁପ୍ତା ସମେତ AAP ର ୭ ଜଣ ରାଜ୍ୟସଭା ସାଂସଦ (ଦୁଇ-ତୃତୀୟାଂଶ ବହୁମତ) ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିଲେ। ଦଳ ଛାଡ଼ିବା ସମୟରେ ରାଘବ ଚଢ଼ା ଅଭିଯୋଗ କରିଥିଲେ ଯେ, AAP ନିଜର ମୂଳ ଆଦର୍ଶ ଓ ସଚ୍ଚୋଟତାରୁ ଓହରି ଯାଇଛି ଏବଂ ଦଳ ଭିତରେ  ପରିବେଶ ବିଷାକ୍ତ ହୋଇଯାଇଛି । ଦଳ​‌ରେ ତାଙ୍କୁ ଅଣଦେଖା କରାଯାଇଥିଲା ଏବଂ ତାଙ୍କର ସ୍ବରକୁ ଚାପି ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ରାଜ୍ୟସଭାରେ ୭ ଜଣ ସାଂସଦ ବିଜେପିରେ ଯୋଗଦେବା ପରେ AAP ର ସଦସ୍ୟ ସଂଖ୍ୟା ମାତ୍ର ୩ କୁ ହ୍ରାସ ପାଇଥିଲା, ଯାହାକୁ ନେଇ କେଜ୍ରିୱାଲ ଦୀର୍ଘ ସମୟ ପରେ ନିଜର କ୍ଷୋଭ ଓ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।