ନୂଆଦିଲ୍ଲୀ : ଆଉ କିଛି ଘଣ୍ଟାର ଅପେକ୍ଷା । ଲଞ୍ଚ ହେବ ନାସାର ସବୁଠୁ ମହତ୍ୱାକାଂକ୍ଷୀ ମାନବ ମିଶନ । ୫୪ ବର୍ଷ ପରେ ଆର୍ଟେମିସ୍‌-୨ ମିଶନ ଜରିଆରେ ୪ଜଣ ମହାକାଶଚାରୀ ଚନ୍ଦ୍ରକୁ ଯାତ୍ରା କରିବେ । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟର୍‌ରୁ ୪ ମହାକାଶଚାରୀ ଓରିଅନ୍‌ କ୍ୟାପ୍‌ସୁଲରେ ବସି ବିଶାଳକାୟ ଏସ୍‌ଏଲ୍‌ଏସ୍‌ ରକେଟ୍‌ରେ ଚନ୍ଦ୍ରକୁ ଯାତ୍ରା କରିବେ । ଏହି ମିଶନ ୧୦ ଦିନର ହେବ । ଏଥିରେ ଚନ୍ଦ୍ର ଚତୁଃପାଶ୍ୱର୍ରେ ଘୂରି ସେମାନେ ପୃଥିବୀକୁ ଫେରିବେ । ଚନ୍ଦ୍ର ପୃଷ୍ଠରେ ଅବତରଣ ଏହି ମିଶନର ଉଦ୍ଦେଶ୍ୟ ନୁହେଁ ।

ଐତିହାସିକ ରେକର୍ଡ ଭାଙ୍ଗିବ

ଆର୍ଟେମିସ୍‌-୨ ମିଶନ ଜରିଆରେ ଅନେକ ଐତିହାସିକ ରେକର୍ଡ ଭାଙ୍ଗିବ । ଆର୍ଟେମିସ୍‌-୨ ମହାକାଶଯାତ୍ରୀ ପୃଥିବୀଠୁ ସର୍ବାଧିକ ଦୂରକୁ ଯାତ୍ରା କରିବେ । ସେମାନେ ଚନ୍ଦ୍ରର ପ୍ରାୟ ୪ ଲକ୍ଷ ୨ ହଜାର କିମି ଦୂରରେ ପହଞ୍ଚିବେ । ଏହା ଆପୋଲୋ-୧୩ ମିଶନ୍‌ଠୁ ୨୪୧୪ କିମି କିଲୋମିଟର ଅଧିକ ଦୂର । ମିଶନ ଫ୍ରି-ରିଟର୍ନ ଟ୍ରାଜେକ୍ଟୋରୀ ଆଧାରିତ, ଅର୍ଥାତ୍‌ ମହାକାଶଚାରୀ ଚନ୍ଦ୍ରର ପଛରୁ ବୁଲି ରକେଟ୍‌କୁ ନ ଜଳାଇ ପୃଥିବୀକୁ ଫେରିବେ । ଚନ୍ଦ୍ର ପଛରେ ଘୂରିବା ସମୟରେ ୫୦ ମିନିଟ୍‌ ଧରି ରେଡିଓ ସମ୍ପର୍କ ଛିନ୍ନ ହୋଇଯିବ । ଏହି ରେକର୍ଡ ଦୀର୍ଘ ସମୟ ଧରି ବଜାୟ ରହିପାରେ, କାରଣ ପରବର୍ତ୍ତୀ ମିଶନ ଏ ପ୍ରକାର ଯାତ୍ରାକୁ ଆପଣେଇବେ ନାହିଁ ।

ପୃଥିବୀକୁ ଫେରିବା ସମୟ ସ୍ପିଡ

ଏହି ମିଶନରେ ମହାକାଶଯାତ୍ରୀ ପୃଥିବୀକୁ ଫେରିବା ସମୟରେ ସବୁଠୁ ଦ୍ରୁତ ବେଗରେ ଆସିବେ । ବାୟୁମଣ୍ଡଳକୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବେଗ ଘଣ୍ଟା ପ୍ରତି ୪୦୨୦୦ କିମିରୁ ଅଧିକ ହେବ । ଏହା ଆପୋଲୋ-୧୦ର ରେକର୍ଡ ଭାଙ୍ଗିବ । ଏତେ ଦ୍ରୁତ ବେଗରେ ଆସିବା ଯୋଗୁ ଓରିଅନ୍‌ କ୍ୟାପ୍‌ସୁଲର ହିଟ୍‌ ଶିଲ୍‌ଡ ବହୁତ ଅଧିକ ଉତ୍ତପ୍ତ ହୋଇଯିବ । ନାସା ଅନୁସାରେ, ହିଟ୍‌ ଶିଲ୍‌ଡ ଏହି ଉତ୍ତାପକୁ ସହ୍ୟ କରିପାରିବ । ପାଇଲଟ୍‌ ଭିକ୍ଟର ଗ୍ଲୋଭର୍‌ ଏହି ମିଶନରେ ଇତିହାସ ରଚିବେ । ସେ ଚନ୍ଦ୍ର ନିକଟକୁ ଯାତ୍ରା କରିଥିବା ପ୍ରଥମ କୃଷ୍ଣକାୟ ମହାକାଶଯାତ୍ରୀ ହେବେ । ସେ ପୂର୍ବରୁ ମଧ୍ୟ ମହାକାଶ କେନ୍ଦ୍ରକୁ ଯାଇଛନ୍ତି । ସ୍ପେସ୍‌ଏକ୍ସର ଡ୍ରାଗନ୍‌ କ୍ୟାପ୍‌ସୁଲର ପାଇଲଟ୍‌ ଭାବେ ସେ ପ୍ରଥମ ବ୍ୟକ୍ତି ।

ଚନ୍ଦ୍ର ନିକଟକୁ ଯାତ୍ରା କରୁଥିବା ପ୍ରଥମ ମହିଳା:

ଆର୍ଟେମିସ୍‌-୨ରେ ସେ ଓରିଅନ୍‌ କ୍ୟାପ୍‌ସୁଲକୁ ମଧ୍ୟ କିଛି ସମୟ ପାଇଁ ମାନୁଆଲି ନିୟନ୍ତ୍ରଣ କରିବେ । ମିଶନ ସ୍ପେଶାଲିଷ୍ଟ୍‌ କ୍ରିଷ୍ଟିନା କୋଚ୍‌ ଚନ୍ଦ୍ର ନିକଟକୁ ଯାତ୍ରା କରୁଥିବା ପ୍ରଥମ ମହିଳା ହେବେ । ଏହା ପୂର୍ବରୁ ସେ ମହିଳା ଭାବେ ସ୍ପେସ୍‌ ଷ୍ଟେସନ୍‌ରେ ସର୍ବାଧିକ ସମୟ୩୨୮ ଦିନ ରହିବାର ରେକର୍ଡ କରିଥିଲେ । ସମସ୍ତ ମହିଳା ସ୍ପେସ୍‌ୱାକ୍‌ରେ ମଧ୍ୟ ସେ ଭାଗ ନେଇଥିଲେ ।

ସେହିପରି କାନାଡ଼ା ମହାକାଶ ଏଜେନ୍ସିର ଜେରେମି ହାନ୍‌ସେନ ଏହି ମିଶନରେ ପ୍ରଥମ ଅଣ-ଆମେରିକୀୟ ମହାକାଶ ଯାତ୍ରୀ ଭାବେ ଚନ୍ଦ୍ର ନିକଟକୁ ଯିବେ । ଏହା ତାଙ୍କର ପ୍ରଥମ ମହାକାଶ ଯାତ୍ରା । ଏହି ମିଶନରେ ଚନ୍ଦ୍ରକୁ ଯାତ୍ରା କରୁଥିବା ସବୁଠୁ ବୟସ୍କ ମହାକାଶଚାରୀ ହେଉଛନ୍ତି କମାଣ୍ଡର ରିଡ୍‌ ଭାଇସ୍‌ମ୍ୟାନ୍‌ ।