ଯାଜପୁର: ପୁଣି ଚର୍ଚ୍ଚାରେ କରଦା ହରିହାଟ ମହୋତ୍ସବ ମଞ୍ଚ। ଉଦଯାପନୀ ଉତ୍ସବରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଟାର୍ଗେଟ କଲେ ବବିଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ। ଦୁହିଁଙ୍କ ଏହି ଟିପ୍ପଣୀ ଯାଜପୁର ରାଜନୀତିକୁ ସରଗରମ କରିଛି। 

ଅରିନ୍ଦମ କହିଛନ୍ତି, ଯାଜପୁର ସାଙ୍ଗରେ ମୋର ସଂପର୍କ ଅଛି, ଆପଣ ମାନେ ଜାଣିଥିବେ। ମୁଁ ୨୦୨୪ ପରଠାରୁ ଯାଜପୁର ଆସି ନ ଥିଲି, ଆକାଶ ଭାଇ ଆଜି ମୋତେ ଯାଜପୁର ଆସିବାର ସୁଯୋଗ ଦେଇଛନ୍ତି। ଆକାଶ ଭାଇ ବହୁତ ନରମ୍ ଥିଲେ ଏବେ ଗରମ ହେଲେଣି। ଆକାଶଙ୍କୁ ଗରମ କରିବା ପାଇଁ ଅରିନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର 'ରଜା ଝିଅ ସଙ୍ଗେ ହୋଇଗଲା ଭାବ'ର ଏକ ଡାଇଲଗ କହିଥିଲେ। ସେ ଡାଇଲଗ ହେଲା - ମୁଁ ମନା କରୁଛି, ମୁଁ ମନା କରୁଛି, ମୋ ସାଙ୍ଗରେ ଲାଗ ନା, ଲାଗ ନା, ନାମ ନେ। ଆଉ ସେ ଏବେ ନାମ ଦେଇଛନ୍ତି। ଏ ଡାଇଲଗ ଆକାଶ ଭାଇ କହିବା କଥା। କିନ୍ତୁ ମୁଁ ଏହି ଡାଇଲଗ ତାଙ୍କ ପାଇଁ କହୁଛି। ଆକାଶ ଭାଇ ବଢତେ ଚଲୋ ହମ୍ ତୁମହାରେ ସାଥ ହେ ବୋଲି କହିଛନ୍ତି ଅରିନ୍ଦମ। 

କୋରେଇ ବିଧାୟକ ଆକାଶ ମଧ୍ୟ ମଞ୍ଚ ଉପରୁ ବବିଙ୍କୁ ନିସାନା କରି କହିଛନ୍ତି କୋରେଇ ଲୋକ ଖଟ ମୁଣ୍ଡେଇ ନାହାନ୍ତି, ମୁଣ୍ଡ ଖଟେଇଛନ୍ତି। କୋରେଇ ଲୋକଙ୍କୁ ବୋକା ଭାବିବନି, କୋରେଇ ଲୋକେ ବହୁତ୍ ଚାଲାକ୍। ରାମାୟଣରେ ରାବଣ ଛଦ୍ମ ବେଶରେ ଆସିଥିଲେ, ସେହି ଛଦ୍ମ ବେଶୀ ରାବଣ ଯେଉଁ ମାନେ ସାଧୁ ବେଶରେ ଆସି ଏବେ କୋରେଇରେ ଘରେ ଘରେ ବୁଲୁଛନ୍ତି ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡ଼ିବ। ଆମେ ଆଉ ଠକେଇର ଶିକାର ହେବାନି। କୋରେଇର ଭାଗ୍ୟ କୋରେଇର ପୁଅ ଏବଂ କୋରେଇ ବାସୀ ଲେଖିବେ। ଏହିଭଳି ଭାବେ ୨ ବିଜେପି ନେତା ବବିଙ୍କୁ ଟାର୍ଗେଟ କରିଛନ୍ତି। 

ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିଲେ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷଙ୍କ ସମେତ କରଦା ହରିହାଟ ମହୋତ୍ସବ କମିଟିର ସଦସ୍ୟ। ଗତ ବର୍ଷ ଠିକ୍ ସମାନ ଢଙ୍ଗରେ ବବିଙ୍କୁ ଏହି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଯାହା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।