ଭୁବନେଶ୍ୱର ୧୬।୧୧ : ବିଧାନସଭାର ଅଧିବେଶନ ପାଇଁ ଭୁବନେଶ୍ୱରରେ କଡ଼ାକଡ଼ି ହେଲା ଟ୍ରାଫିକ୍ ବ୍ୟବସ୍ଥା। ବିଧାନସଭା ସଂଲଗ୍ନ ରାସ୍ତାରେ ଯାନବାହନ ଚଳାଚଳ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର କଟକଣା। ଜନସାଧାରଣଙ୍କ ନିରାପତ୍ତା ଏବଂ ଟ୍ରାଫିକ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। କେଉଁ ରାସ୍ତାରେ ଗାଡ଼ି ଯିବ, କେଉଁ ରାସ୍ତାରେ ଯିବା ଉପରେ ରହିବ କଟକଣା, ଆସନ୍ତୁ ଜାଣିବା।

ଖବର ଅନୁଯାୟୀ, ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ। ସେହିପରି ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଯାନବାହନ ଜୟଦେବ ଭବନ ନିକଟରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯାତାୟାତ କରିବେ। ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଲୋୟର ପି.ଏମ୍.ଜି. ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। ଅନ୍ୟପଟେ ୧୨୦ ବାଟାଲିୟନ୍ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଚାହୁଁଥିବା ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବେ।

Also Read:-ଦିଦି ଭାରି ଦୁଷ୍ଟ ! ସ୍କୁଲ ଛୁଟି ପରେ ଛାତ୍ରୀଙ୍କୁ ବାଥରୁମକୁ ଡାକୁଥିଲେ, ବସରେ ରଖୁଥିଲେ ପାପ ସମ୍ପର୍କ

ସେହିପରି ଲୋକଭବନ ଛକ ପଟୁ ଏମ୍.ଏଲ୍.ଏ. କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଛକ ଦେଇ ଯାତାୟାତ କରିବେ। ତେବେ ଏହି କଟକଣାରୁ ଜରୁରୀକାଳୀନ ସେବାରେ ନିୟୋଜିତ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡ଼ିକୁ ବାଦ୍ ଦିଆଯାଇଛି। ଏଥିସହ ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ ନାହିଁ।

ବିଧାନସଭା ଅଧିବେଶନ ଚାଲୁଥିବା ସମୟ ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ। ତେଣୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ପୋଲିସର ନିର୍ଦ୍ଦେଶ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ।