ଫୁକେଟ୍, ୧୬।୧୧ : ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ସପିଂ ମଲ୍ । ଜୀଅନ୍ତା ଜଳିଗଲେ ୧୧ ଜଣ । ଏପରି ଅଭାବନୀୟ ଘଟଣା ଘଟିଛି ଥାଇଲାଣ୍ଡର ଫୁକେଟରେ ଥିବା ଏକ କମର୍ସିଆଲ୍ ବିଲ୍ଡିଂରେ । ଏହାସହ ଅଘଟଣରେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ସୋମବାର ସକାଳେ ସପିଂ ମଲରେ ନିଆଁ ଲାଗିଯାଇଥିଲା । ଏହା ଖୁବ୍ ଶୀଘ୍ର ପାଖଆଖରେ ଥିବା ଅନ୍ୟ ବିଲ୍ଡିଂକୁ ବ୍ୟାପିଯାଇଥିଲା । ନିଆଁ ଲାଗିଥିବା ନେଇ ଖବର ମଳିବା ପରେ ଅଗ୍ନିଶମ ବାହିନୀର ଏକାଧିକ ଗାଡି ଘଟଣାସ୍ଥଳରେ ପହଁଚିଥିଲେ । ସେମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିନଥିବା କୁହାଯାଉଛି ।

ପୋଲିସର କହିବାନୁସାରେ, ସ୍ଥାନୀୟ ସମୟ ୩ଟା ୧୭ରେ ଅଗ୍ନିକାଣ୍ଡ ନେଇ ପ୍ରଥମେ ଫୋନ୍ କଲ୍ ଆସିଥିଲା । ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି ତାହା ଏକ ସପିଂ କମ୍ପ୍ଲେକ୍ସ୍ । ଏଥିରେ ସପିଂ ମଲ୍ ମଧ୍ୟ ରହିଛି । ଏଠାରେ ଗାଡି ଭଡାରେ ମଧ୍ୟ ଦିଆଯାଏ । ପ୍ରାୟ ୨ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ନିଆଁ ଲିଭି ଯାଇଥିବା ବେଳେ ଆଉ ଅଳ୍ପ କିଛି ସ୍ଥାନରୁ ଧୂଆଁ ବାହାରୁଛି । ଯାହା ଖୁବ୍ ଶୀଘ୍ର ଲିଭିଯିବ ।

Also Read :-ଦ୍ଵିତୀୟ ଥର ICCର ଚେୟାରମ୍ୟାନ ହେଲେ ଜୟ ଶାହ, ନିର୍ଦ୍ଵନ୍ଦ୍ଵରେ ହେଲେ ନିର୍ବାଚିତ

ଆହୁରି ମଧ୍ୟ ପୋଲିସ କହିଛି ଯେ, ଆହତଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ଲୋକେ ରହିଛନ୍ତି । ଜଣେ ମ୍ୟାମାଁରର ନାଗରିକ ଅଟନ୍ତି । ମୃତକଙ୍କ ମଧ୍ୟରେ କେହି ପର୍ଯ୍ୟଟକ ନାହାଁନ୍ତି । କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।