ଭୁବନେଶ୍ୱର ୧୬।୧୧  : ପୂର୍ବ ସରକାରକୁ ବିଜେପିର ଟାର୍ଗେଟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ପୂର୍ବ ବିଜେଡି ସରକାର ବିରୋଧରେ ବର୍ଷିଛି ଦଳ। ବିଜେଡି ସରକାର ଅମଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ କରିଛି ବିଜେପି। ଘର ବଣ୍ଟନ ବେଳେ ହିତାଧିକାରୀଙ୍କଠାରୁ ଘର ପିଛା ପିସି ଆଦାୟ କରାଯାଉଥିଲା। ବିଭିନ୍ନ ବାହାନା ଦେଖାଇ ଗରିବ ଲୋକଙ୍କୁ ଘର ଯୋଗାଇବାରେ ବିଳମ୍ବ କରାଯାଉଥିଲା। ବିଜେଡି ସରକାର ସମୟରେ ଗରିବ କଲ୍ୟାଣ କେବଳ ସ୍ଲୋଗାନରେ ସୀମିତ ଥିଲା ବୋଲି କହିଛି ବିଜେପି।

ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଯେ, ପୂର୍ବ ସରକାର ଅମଳରେ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିଲା। ଘର ବଣ୍ଟନରେ ରାଜନୈତିକ ପକ୍ଷପାତିତା କରାଯାଉଥିଲା। ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଆବାସ ଘର ମିଳୁଥିବା ବେଳେ ପ୍ରକୃତ ଗରିବ ହିତାଧିକାରୀ ବଞ୍ଚିତ ହେଉଥିଲେ। ଫନି ବାତ୍ୟା ପରେ ମଧ୍ୟ ଅନେକ ଲୋକଙ୍କୁ ଘର ମିଳିନଥିଲା। ଅଭିଯୋଗ ପାଇଁ ବାକ୍ସ ରଖାଯାଇଥିଲେ ମଧ୍ୟ ତାହା ଖୋଲାଯାଉନଥିବା ଅଭିଯୋଗ କରିଛି ଦଳ।

Also Read:-ଗୋଟିଏ ମାମଲାରେ ଜେଲ୍, ଏବେ ଆଉ ଏକ ମାମଲାରେ ରିମାଣ୍ଡ; ରାଜା ଚକ୍ରଙ୍କୁ ଘେରିଲା EOW

ଅନ୍ୟପଟେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳରେ ଆବାସ ଯୋଜନାରେ ୮ ଲକ୍ଷ ୨୮ ହଜାର ଘର ମଞ୍ଜୁର କରାଯାଇଥିବା ଦାବି କରିଛି ବିଜେପି। ସେଥିମଧ୍ୟରୁ ୩ ଲକ୍ଷ ୨୦ ହଜାର ଘର ସମ୍ପୂର୍ଣ୍ଣ ହୋଇଛି। ଆହୁରି ୫ ଲକ୍ଷ ଘର ପାଇଁ କାର୍ଯ୍ୟାଦେଶ ଦିଆଯିବ ବୋଲି କହିଛି ଦଳ। ଅନ୍ତ୍ୟୋଦୟ ଯୋଜନାରେ ୧ ଲକ୍ଷ ୨ ହଜାର ଘର ନିର୍ମାଣ ହୋଇଥିବା ମଧ୍ୟ ଦାବି କରାଯାଇଛି।

ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ମାତ୍ର ୩ ହଜାର ୩୦୦ ବିଜୁ ପକ୍କା ଘର ଦେଇଥିବା ଅଭିଯୋଗ କରିଛି ବିଜେପି। ମୋଦି ସରକାର ସାରା ଦେଶରେ ୫ କୋଟି ୨୦ ଲକ୍ଷ ଘର ଯୋଗାଇଥିବା ବେଳେ ଏଥିରୁ ଗ୍ରାମାଞ୍ଚଳରେ ୪ କୋଟି ଏବଂ ସହରାଞ୍ଚଳରେ ୧ କୋଟି ଘର ରହିଛି। ଓଡ଼ିଶାରେ ମଧ୍ୟ ଗ୍ରାମାଞ୍ଚଳରେ ୨୮ ଲକ୍ଷ ଓ ସହରାଞ୍ଚଳରେ ୨ ଲକ୍ଷ ଘର ଯୋଗାଇ ଦିଆଯାଇଥିବା ଦାବି କରିଛି ଦଳ। ଗରିବ ଲୋକଙ୍କୁ ଘର ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ। କିନ୍ତୁ ପୂର୍ବ ସରକାର ଅମଳରେ କେନ୍ଦ୍ରରୁ ଆସୁଥିବା ଅର୍ଥର ବାଟମାରଣା କରାଯାଉଥିଲା ।