ଆନ୍ଧ୍ରପ୍ରଦେଶ ୨୪/୦୨: ଇଞ୍ଜେକସନ୍ ପାଇଁ ଦରକାର ୧୬ କୋଟି । ଶିଶୁକୁ ବଞ୍ଚାଇବାକୁ ଆନ୍ଧ୍ର-ତେଲଙ୍ଗାନା ଏକାଠି । ୧୧ ମାସର ଶିଶୁ ଜମ୍ପଲା ମଙ୍ଗଳା ପୁନର୍ଭିକାକୁ ବଞ୍ଚାଇବା ପାଇଁ ଦୁଇ ପଡୋଶୀ ଏବେ ଅଣ୍ଟା ଭିଡ଼ିଛନ୍ତି । କାରଣ ପୁନର୍ଭିକା ସ୍ପାଇନାଲ ମସ୍କୁଲାର ଆଟ୍ରଫି (ଏସ୍ଏମ୍ଏ ଟାଇପ୍-୧) ନାମକ ବିରଳ ଓ ପ୍ରାଣଘାତକ ଜିନ୍ଗତ ବିକାର ସହ ଲଢୁଛି । ଏହି ସ୍ଥିତି ମାଂସପେଶୀର ସାମର୍ଥ୍ୟ ଓ ବ୍ୟକ୍ତିର ଗତିବିଧିକୁ ପ୍ରଭାବିତ କରେ ।

ପୁନର୍ଭିକା ମାତ୍ର ୫ ମାସର ହୋଇଥିବାବେଳେ ପ୍ରଥମେ ଏହି ସଙ୍କେତ ଜଣାପଡ଼ିଥିଲା । ମା’-ବାପା ଲକ୍ଷ୍ୟ କଲେ, ପୁନର୍ଭିକା ନିଜ ବେକକୁ ସିଧା କରି ରଖିପାରୁ ନାହିଁ । ଗୋଡ଼କୁ ହଲ୍ଚଲ୍ କରିବାରେ ସଂଘର୍ଷ କରୁଛି । ନିଜ ବୟସର ଅନ୍ୟ ପିଲାଙ୍କ ଭଳି ତା’ ଓଜନ ମଧ୍ୟ ବଢୁନାହିଁ । ସମସ୍ତ ପରୀକ୍ଷା ପରେ ଡାକ୍ତର ଶେଷରେ ପୁନର୍ଭିକାଠାରେ ଏସ୍ଏମ୍ଏ ଟାଇପ୍-୧ ବିକାର ଚିହ୍ନଟ କଲେ ଏବଂ ତୁରନ୍ତ ଜିନ୍ ଥେରାପି ଚିକିତ୍ସା ଲାଗି ଉପଦେଶ ଦେଲେ ।

​​​​​​​

ଏହି ଜୀବନ ରକ୍ଷାକାରୀ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୧୦ କୋଟି, ଯାହା ପୁନର୍ଭିକାର ବାପା ଜେ ସୁରେଶ କୁମାରଙ୍କ ଆୟ ହିସାବରେ ଢେର ଅଧିକ । ତାଙ୍କ ପରିବାର କୁର୍ନୂଲ ଜିଲ୍ଲାର ଭେଲଦୁର୍ଥୀରେ ରହୁଛନ୍ତି । ଝିଅର ଏଭଳି ସ୍ଥିତିରେ ଭାଙ୍ଗି ପଡ଼ିଥିବା ପରିବାର ହାର୍ ନ ମାନି ଏକ ପାଣ୍ଠି ସଂଗ୍ରହକାରୀ ଅଭିଯାନ ଆରମ୍ଭ କଲେ ଏବଂ ଲୋକଙ୍କୁ ସାହାଯ୍ୟ ଲାଗି ଅନୁରୋଧ କଲେ ।

ଅମରାବତୀ ସ୍ଥିତ ବିଧାନସଭାରେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାକ୍ଷାତ କରି ଝିଅର ଚିକିତ୍ସା ଲାଗି ଆର୍ଥିକ ସହାୟତାର ହାତ ବଢ଼ାଇବାକୁ ସରକାରଙ୍କୁ ଗୁହାରି କଲେ । ତା’ପରେ ଚମତ୍କାର ହେଲା । ‘ହାସ୍ଟ୍ୟାଗ୍ ସେଭ୍ ପୁନର୍ଭିକା’ଇଣ୍ଟର୍ନେଟ୍ରେ ଭାଇରାଲ ହେଲା । ଚାହୁଁ ଚାହୁଁ ଏହା ଏକ ରାଜ୍ୟସ୍ତରୀୟ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ପୁନର୍ଭିକା ପାଇଁ ଯୁବପିଢ଼ି ପଶ୍ଚିମ ଗୋଦାବରୀ, ବିଶାଖାପଟନମ୍, ଏଏସ୍ଆର, କ୍ରୀଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ବାଇସାଇକେଲ ରାଲି ଆୟୋଜନ କରୁଛନ୍ତି ।

ସ୍କୁଲ ପିଲା ସେମାନଙ୍କ ପକେଟ୍ ମନି ଦାନ କରୁଛନ୍ତି ଏବଂ ଭିଡିଓ ମାଧ୍ୟମରେ ଜନସଚେତନତାରବାର୍ତ୍ତା ପ୍ରସାର କରୁଛନ୍ତି । ବିଜୟୱାଡ଼ାରେ ଅଟୋ ଚାଳକମାନେ ବି ଏହି ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ‘ଆମେ ମଧ୍ୟ’ ଘୋଷଣା ଜରିଆରେ ଏକତାର ବାର୍ତ୍ତା ଦେଇଛନ୍ତି । ଶ୍ରୀନୁ ନାମକ ଜଣେ ଯୁବକ ପୁନର୍ଭିକା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସମର୍ଲାକୋଟାଠୁ ୫୦୦ କିମି ବାଇସାଇକେଲ ଯାତ୍ରା ଘୋଷଣା କରିଛନ୍ତି । କ୍ରୀଷ୍ଣା ଓ ପଶ୍ଚିମ ଗୋଦାବରୀ ଜିଲ୍ଲାର ଛୋଟ ଛୋଟ ଟାଉନ୍ର ଅନେକ ଯୁବା ଗତ ରବିବାର ଏକ ସ୍ୱତନ୍ତ୍ର ପାଣ୍ଠି ସଂଗ୍ରହକାରୀ ଅଭିଯାନର ଆୟୋଜନ କରିଥିଲେ ।

also read...

ପାଠ ପାଇଁ ହତ୍ୟା ! ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ, ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଡ୍ରମରେ ପୂରାଇଦେଲା...