ଅନୁଗୋଳ: ଗୋଟିଏ ଦିନ। କେଇ ଘଣ୍ଟାର ବ୍ୟବଧାନ। ପ୍ରଥମେ ଚାଲିଗଲେ ସ୍ୱାମୀ, ଆଉ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବାର କିଛି ସମୟ ପରେ ଆଖି ବୁଜିଲେ ସ୍ତ୍ରୀ। ସ୍ୱାମୀଙ୍କ ଜୁଇ ନ ଲିଭୁଣୁ, ଜଳିଲା ସ୍ତ୍ରୀଙ୍କ ଜୁଇ। ଜୀବନରେ ଦୁଃଖ-ସୁଖରେ ପରସ୍ପରର ସାଥୀ ଥିଲେ। ହେଲେ ମୃତ୍ୟୁ ବି ଯେ ଏମିତି ସାଥୀ କରିଦେବ, ତାହା କେହି କେବେ ଭାବିନଥିଲେ। ଅନୁଗୁଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା।

ଜରସିଂହା ଗାଁର ବରିଷ୍ଠ ଆଇନଜୀବୀ ପବିତ୍ର ନାଏକ। ଭାରି ନିର୍ମାୟା ଓ ନିଷ୍କପଟ ମଣିଷ। ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ପବିତ୍ରଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। କିନ୍ତୁ ଏହାର କିଛି ଘଣ୍ଟା ପରେ ଆସିଲା ଆଉ ଏକ ଦୁଃଖଦ ଖବର। ଗାଁରେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ, ଆସିଲା ସ୍ତ୍ରୀଙ୍କ ମୃତ୍ୟୁ ଖବର। ପବିତ୍ରଙ୍କ ପତ୍ନୀ ସାବିତ୍ରୀ ନାଏକଙ୍କ ମଧ୍ୟ ସବୁ ଦିନ ପାଇଁ ଆଖି ବୁଜିଦେଲେ।ସୂଚନା ଅନୁସାରେ, ସାବିତ୍ରୀ ନାଏକ ପୂର୍ବରୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସ୍ୱାମୀ ପବିତ୍ର ନାଏକଙ୍କ ମୃତ୍ୟୁ ଖବର ତାଙ୍କ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିବା କୁହାଯାଉଛି। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀଙ୍କର ମୃତ୍ୟୁ ହୋଇଛି।ଯେଉଁ ଘର ଦିନେ ହସଖୁସିରେ ଫାଟି ପଡୁଥିଲା, ସେହି ଘରେ ଆଜି ନିରବ। ଦୁଇ ଦୁଇଟି ସଦସ୍ୟଙ୍କୁ ହରାଇ କାନ୍ଦୁଛି ପରିବାର। କାନ୍ଦୁଛନ୍ତି ଆତ୍ମୀୟସ୍ୱଜନ। ମାତ୍ର କିଛି ଘଣ୍ଟା ବ୍ୟବଧାନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁରେ ଜରସିଂହା ଗାଁକୁ ସ୍ତବ୍ଧ କରିଦେଇଛି। ସ୍ୱାମୀଙ୍କ ଜୁଇ ନ ଲିଭୁଣୁ, ସ୍ତ୍ରୀଙ୍କ ଜୁଇ ଜଳିବାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ। ଗ୍ରାମବାସୀଙ୍କ ସମେତ ଅନୁଗୋଳ ଓକିଲ ସଂଘ ମଧ୍ୟ ପବିତ୍ର ନାଏକଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛି।

ଏକା ସାଙ୍ଗରେ ଦୁଇଟି ଜୀବନ ଚାଲିଯିବାର ଏହି ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି।ମୃତ୍ୟୁ ନିଶ୍ଚିତ। ହେଲେ ଏମିତି ଭାବରେ ଦୁଇ ଜୀବନର ଅନ୍ତ ହେବ, ତାହା କେହି କଳ୍ପନା କରିନଥିଲେ। ସ୍ୱାମୀଙ୍କ ପରେ ସ୍ତ୍ରୀ। କେଇ ଘଣ୍ଟା ମଧ୍ୟରେ ଦୁଇଟି ଜୁଇ। ଜୀବନରେ ହାତ ଧରି ଚାଲିଥିଲେ... ଆଉ ମୃତ୍ୟୁ ବି ଦୁହିଁଙ୍କୁ ଅଲଗା କରିପାରିଲା ନାହିଁ। ପ୍ରଥମେ ସ୍ୱାମୀଙ୍କ ଜୁଇ ଜଳିଲା... ଆଉ କେଇ ଘଣ୍ଟା ପରେ ସେହି ଅଗ୍ନିରେ ମିଶିଗଲା ସ୍ତ୍ରୀଙ୍କ ଜୀବନର ଶେଷ ଚିହ୍ନ। ଯେଉଁ ଘରେ ଦିନେ ହସ ଶୁଭୁଥିଲା, । ଦୁଇଟି ଜୁଇ... ଦୁଇଟି ଜୀବନ... ଆଉ ଅସରନ୍ତି ଲୁହ। ଅନୁଗୋଳର ଏହି ଘଟଣା ଗୋଟିଏ କଥା ମନେ ପକାଇଦେଲା- ସତରେ, ଭଲପାଇବାର ବନ୍ଧନ କେବଳ ଜୀବନ ପର୍ଯ୍ୟନ୍ତ ନୁହେଁ... ବେଳେବେଳେ ମୃତ୍ୟୁ ବି ସେହି ବନ୍ଧନକୁ ଭାଙ୍ଗି ପାରେନି।