ସିଡନୀ ୧୫।୧୨: ଅଷ୍ଟ୍ରେଲିଆରେ ରବିବାର ହୋଇଥିବା ଗୁଳିକାଣ୍ଡ ପରେ ମାମଲା ଏବେ ସାମ୍ପ୍ରଦାୟିକତା ଆଡକୁ ବଢୁଛି। କୁହାଯାଉଛି ବଣ୍ଡି ବିଚ୍ ରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିଶୋଧରେ ପଶ୍ଚିମ ସିଡନୀର ଏକ ମୁସଲମାନ କବରସ୍ତାନରେ କଟା ଘୁଷୁରିମୁଣ୍ଡ ଫିଙ୍ଗାଯାଇଥିବା ଦେଖା ଯାଇଛି। ଏହି ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ବିଚ୍ ଗୁଳିକାଣ୍ଡକୁ ସିଡନୀର ମୁସଲମାନ ନେତାମାନେ ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ଶବ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

‘ଡେଲି ମେଲ୍’ ରିପୋର୍ଟ ଅନୁସାରେ ମୁସ୍ଲିମ ଅନ୍ତ୍ୟେଷ୍ଟି ବ୍ୟବସାୟ ସହ ସମ୍ପୃକ୍ତ ଅହମଦ ହରାଚୀ କହିଛନ୍ତି ଯେ ଏହା ଯିଏ ବି କରିଥାଉ ସେ କେବଳ ଘୃଣା ବ୍ୟତୀତ ଅନ୍ୟ କିଛି ପ୍ରମାଣିତ କରିନାହିଁ। ଏହା ସମସ୍ୟାର ସମାଧାନ ନୁହେଁ,ବରଂ ସମସ୍ୟାର ଅଂଶ ପାଲଟି ଯାଇଛି। ହରାଚୀ କହିଛନ୍ତି ଏହା ମୁର୍ଖତା, ଏହା ଦ୍ୱାରା କିଛିବି ମିଳିବନି, ଏଭଳି ଘଟଣା କେବଳ କ୍ରୋଧ ଓ ହିଂସାକୁ ଉତ୍ସାହିତ କରିବ। ହରାଚୀ କହିଛନ୍ତି ଯେ ଏହି ସବୁ କବରରେ ଯେଉଁମାନେ ପୋତା ହୋଇଛନ୍ତି ସେମାନେ ବଣ୍ଡି ବିଚ୍ ଘଟଣାର ଅନେକ ପୂର୍ବରୁ ଇହଧାମ ଛାଡିସାରିଛନ୍ତି, ଏହି ସବୁ ଘଟଣା ସହ ସେମାନଙ୍କର କୌଣସି ସମ୍ପୃକ୍ତି ନାହିଁ।

କବର ସବୁ ଧର୍ମ ଓ ମାନବତା ପାଇଁ ଆରାମ, ଗୌରବ ଓ ସମ୍ମାନର ସ୍ଥାନ। ଯଦି ଆପଣ ଶାନ୍ତି ଚାହୁଁଥାନ୍ତି ତେବେ ଏହା ସେଥି ପାଇଁ ରାସ୍ତା ନୁହେଁ, ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ତା ପାଇଁ ଅଲଗା ରାସ୍ତା ରହିଛି ବୋଲି ହରାଚୀ କହିଛନ୍ତି। ସିଡନୀ ପୋଲିସ ସୋମବାର କହିଛି ଯେ ବଣ୍ଡି ବିଚ୍ ରେ ହୋଇଥିବା ଗୁଳିକାଣ୍ଡରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି, ଏହି କାଣ୍ଡ ପଛରେ ପାକିସ୍ତାନ ଲାହୋରର ବାପ-ପୁଅଙ୍କ ହାତ ରହିଛି। ନ୍ୟୁ ସାଉଥ ୱେଲସ୍ ପୋଲିସ କମିଶନର ମାଲ ଲିନ୍ୟୋନ ପୁଷ୍ଟି କରିଛନ୍ତି ଯେ ଆକ୍ରମଣକାରୀଙ୍କ ମଧ୍ୟରୁ ୫୦ ବର୍ଷ ବୟଷ୍କ ସାଜିଦ ଆକ୍ରମକୁ ପୋଲିସ ଘଟଣାସ୍ଥଳରେ ହତ୍ୟା କରିଥିଲା। ତାର ୨୪ ବର୍ଷର ପୁଅ ନାଭିଦ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି।

ପୋଲିସ ଅନୁସାରେ ବାପ-ପୁଅ ରବିବାର ଅପରାହ୍ନ ରେ ‘ହନୁକ୍କା ବାୟ ଦ ସି’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ କରିଛନ୍ତି। ଏହା ଇହୁଦୀ ଉତ୍ସବ ପାଳନର ଉଦଘାଟନୀ ଦିବସ ଥିଲା। ଏହି ଘଟଣାରେ ଆକ୍ରମଣକାରୀ ସାଜିଦ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏହି ଘଟଣାରେ ସବୁଠୁ କମ ବୟଷ୍କ ପୀଡ଼ିତା ଜଣା ୧୦ ବର୍ଷର ବାଳିକା। ଗୁରୁତର ଆହତ ଝିଅଟିକୁ ଶିଶୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ହୋଇଛି। ଏହି ଘଟଣାରେ ସବୁଠୁ ବୟଷ୍କ ପୀଡ଼ିତ ଜଣେ ୮୭ ବର୍ଷ ବୟଷ୍କ ବୃଦ୍ଧ ବୋଲି କୁହାଯାଇଛି।