ଭୁବନେଶ୍ବର ୯।୧୧: ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୦୦ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ । ଏହାଦ୍ୱାରା ରାଜ୍ୟର ଅନେକ ଗରିବ ଓ ଅସହାୟ ଲୋକ ଉପକୃତ ହେବେ । ଏହା ଓଡ଼ିଶା ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବ ସରକାରଙ୍କ ପେନସନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଅନିଲ ବିଶ୍ୱାଳ କହିଛନ୍ତି, ପୂର୍ବ ବିଜେଡି ସରକାର ସମୟରେ ପେନସନ୍ ପାଇଁ ଡେଥ୍ ଭାକାନ୍ସି ବ୍ୟବସ୍ଥା ରହିଥିଲା । ଜଣେ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ହେବା ପରେ ମଧ୍ୟ ତୁରନ୍ତ ପେନସନ୍ ମିଳୁନଥିଲା । ୱାର୍ଡ କିମ୍ବା ପଞ୍ଚାୟତରେ ପୂର୍ବରୁ ପେନସନ୍ ପାଉଥିବା ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ୁଥିବା ସ୍ଥାନରେ ନୂଆ ବ୍ୟକ୍ତିଙ୍କୁ ପେନସନ୍ ମିଳୁଥିଲା । ଏହି ବ୍ୟବସ୍ଥାକୁ ସେ ଭୁଲ୍ ବୋଲି ଦର୍ଶାଇବା ସହ ବର୍ତ୍ତମାନର ସରକାର ଏଥିରେ ପରିବର୍ତ୍ତନ ଆଣି ଯୋଗ୍ୟ ଆବେଦନକାରୀଙ୍କୁ ପେନସନ୍ ଦେବାର ବ୍ୟବସ୍ଥା କରିଥିବା ସେ କହିଛନ୍ତି ।

ସେହିପରି ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ୬ ଲକ୍ଷ ନୂତନ ହିତାଧିକାରୀଙ୍କ ପାଇଁ ଅର୍ଥ ବ୍ୟବସ୍ଥା ହୋଇଥିବା ବେଳେ ଏବେ ୫ ଲକ୍ଷ ୫ ହଜାର ୮୦୦ ଜଣଙ୍କୁ ଚିହ୍ନଟ କରାଯାଇଛି । ୨୦୨୬-୨୭ ବର୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୯ ହଜାର ୬୧୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ବର୍ତ୍ତମାନର ସରକାର ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ସେ କହିଛନ୍ତି ।

Also Read:- ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟର ଧକ୍କା ; ଦୁଇ ମୃତ, ଜଣେ ଗୁରୁତର

ଅନ୍ୟପଟେ ରାଜ୍ୟରେ ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଜରିଆରେ ବର୍ତ୍ତମାନ ୫୬ ଲକ୍ଷ ୬୦ ହଜାର ହିତାଧିକାରୀ ପେନସନ୍ ପାଉଛନ୍ତି । ନୂତନ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ ସାମିଲ ହେବା ପରେ ଏହି ସଂଖ୍ୟା ୬୧ ଲକ୍ଷ ୬୫ ହଜାରରେ ପହଞ୍ଚିବ। ଏହା ରାଜ୍ୟରେ ସର୍ବକାଳୀନ ରେକର୍ଡ ବୋଲି କରିଛନ୍ତି ଅନିଲ ବିଶ୍ୱାଳ । ଏଥିସହ ପେନସନ୍ ମିଳୁନଥିବା ନେଇ ବିଜେଡି କରୁଥିବା ଅଭିଯୋଗକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।