ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଗୋପାଳପୁର ଏନଏସି ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଯାନ ପ୍ରଦାନ ହୋଇଛି ।

ଏହି ଉଦ୍ଧାର ଯାନରେ ହାଇଡ୍ରୋଲିକ୍ ଲିଫ୍ଟ ସହ ଆବଶ୍ୟକୀୟ ଉଦ୍ଧାର ଉପକରଣ ଓ ଜରୁରୀ ଚିକିତ୍ସା ସୁବିଧା ରହିଛି । ଦୁର୍ଘଟଣାଗ୍ରସ୍ତ, ଅସୁସ୍ଥ ଓ ଅସହାୟ ପଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଚିକିତ୍ସା ପରେ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯିବ । ପଶୁ କଲ୍ୟାଣ କ୍ଷେତ୍ରରେ ଏହି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ପାଇଁ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି । ସାଧାରଣ ଲୋକମାନେ ଆହତ କିମ୍ବା ସଙ୍କଟାପନ୍ନ ପଶୁ ଦେଖିଲେ ୧୯୬୨ ଟୋଲ୍-ଫ୍ରି ସହାୟତା ନମ୍ବରରେ ଯୋଗାଯୋଗ କରି ଏହି ସେବାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ଟି ଏନଏସି ଓ ଗୋଟିଏ ମ୍ୟୁନିସିପାଲିଟିରେ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ ହୋଇସାରିଛି । ଖୁବଶୀଘ୍ର ଜିଲ୍ଲାର ଅବଶିଷ୍ଟ ଏନଏସି ଓ ମ୍ୟୁନିସିପାଲିଟିରେ ମଧ୍ୟ ଏହି ସେବା ଆରମ୍ଭ କରାଯିବ । ଏହା ଫଳରେ ଜିଲ୍ଲାର ଆହତ ଓ ଅସୁସ୍ଥ ପଶୁପକ୍ଷୀଙ୍କୁ ତ୍ୱରିତ ଉଦ୍ଧାର ଓ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଅଧିକ ସହଜ ହେବ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲ୍ଲିକୋଟ ଏନଏସି, ପୋଲସରା ଏନଏସି ଓ ଗୋପାଳପୁର ଏନଏସିକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ସେବା ଆରମ୍ଭ ହୋଇଛି ।