ମୁମ୍ବାଇ: ମେଗାଷ୍ଟାର ରଜନୀକାନ୍ତଙ୍କ ସହ ଗୋଟିଏ ସ୍କ୍ରିନରେ ନଜର ଆସିବେ ବିଦ୍ୟା ବାଲନ...ଦୁଇ ସୁପରଷ୍ଟାର ଏକ ନୂଆ ରୂପରେ ଆସିବାକୁ ଯାଉଛନ୍ତି... ହିନ୍ଦୀ ସିନେମାରେ ନିଜର ଦମ୍ଦାର ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଦ୍ୟା ବାଲନ୍ ଏବେ ଆଞ୍ଚଳିକ ଭାଷାର ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଆକ୍ସନ୍ ଥ୍ରିଲର୍ ‘ଜେଲର୍ ୨’ରେ ଭିଲିଆନ ଅନ୍ଦାଜରେ ନଜର ଆସିବେ ଏହି ଅଭିନେତ୍ରୀ। ଦିନେ ଯେଉଁ ତାମିଲ୍ ଓ ମାଲାୟାଲମ୍ ସିନେମାରୁ ତାଙ୍କୁ ବାଦ୍ ଦିଆଯାଉଥିଲା, ଆଜି ସେହି ଅଭିଜ୍ଞତାକୁ ପଛରେ ପକାଇ ସବୁ ଭାରତୀୟ ଭାଷାରେ ଅଭିନୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି ବିଦ୍ୟା ।

ବିଦ୍ୟା ବାଲନ୍ଙ୍କ ଅଭିନୟ ଯାତ୍ରା ଏତେ ସହଜ ନଥିଲା । କ୍ୟାରିୟର୍ର ପ୍ରାରମ୍ଭିକ ସମୟରେ ସେ ମାଲାୟାଲମ୍ ଫିଲ୍ମ ‘ଚକ୍ରମ୍’ରେ ଅଭିନେତା ମୋହନଲାଲ୍ଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ । କିନ୍ତୁ ଫିଲ୍ମଟି ଅଧାରୁ ବନ୍ଦ ହୋଇଯିବା ପରେ ତାଙ୍କୁ ଅଶୁଭ ବୋଲି ଭାବିବାର ଏକ ଅନ୍ଧବିଶ୍ୱାସ ଜନ୍ମ ନେଇଥିଲା। ଏହାର ପ୍ରଭାବରେ ସେ ଅନେକ ଫିଲ୍ମରୁ ବାଦ୍ ପଡ଼ିଥିଲେ। ତାମିଲ୍ ସିନେମାରେ ମଧ୍ୟ ଏଭଳି ସମସ୍ୟା ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା।

କିନ୍ତୁ ସମୟ ବଦଳିବା ସହ ବଦଳିଛି ବିଦ୍ୟାଙ୍କ ଦୃଷ୍ଟିଭଙ୍ଗୀ। ଏବେ ସେ ନେଲସନ୍ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ‘ଜେଲର୍ ୨’ରେ ‘କାନ୍ଥା’ ନାମକ ଏକ ନେଗେଟିବ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ରଜନୀକାନ୍ତଙ୍କ ଚରିତ୍ର ମୁଥୁଭେଲ୍ ପାଣ୍ଡିଆନ୍ଙ୍କ ସହ ତାଙ୍କର ଦମ୍ଦାର ଦୃଶ୍ୟ ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି।

ଏକ ସାକ୍ଷାତକାରରେ ବିଦ୍ୟା କହିଛନ୍ତି ଯେ ରଜନୀକାନ୍ତଙ୍କ ସହ ଫିଲ୍ମ କରିବା କଥା ସୁନୀଲ ପରେ ସେ ଏହି ପ୍ରୋଜେକ୍ଟ ରେ କାମ କରିବାକୁ ରାଜି ହୋଇ ଯାଇଥିଲେ । ପୂର୍ବରୁ ରଜନୀକାନ୍ତ ସହ କାମ କରିବାର ସୁଯୋଗ ଦିବ୍ୟାଙ୍କୁ ମିଳିଥିଲା କିନ୍ତୁ ଅନ୍ୟ ଫିଲ୍ମର ତାରିଖ ସହ ମେଳ ନ ଖାଇବାରୁ ହାତଛଡ଼ା ହୋଇଥିଲା। ତେଣୁ ଏଥର ସୁଯୋଗ ମିଳିବା ପରେ ସେ ଏହାକୁ ହାତଛଡ଼ା କରିବାକୁ ଚାହିଁ ନଥିଲେ।

‘ଜେଲର୍ ୨’ର ଟ୍ରେଲର୍ରେ ବିଦ୍ୟାଙ୍କୁ ରଜନୀକାନ୍ତଙ୍କ ଚରିତ୍ରକୁ ଚ୍ୟାଲେଞ୍ଜ୍ କରୁଥିବା ଦେଖିବାକୁ ମିଳିଛି। ଏକ ଦୃଶ୍ୟରେ ସେ ତାଙ୍କ ମୁହଁ ଆଡ଼କୁ ସିଗାରେଟ୍ ଧୂଆଁ ଛାଡ଼ୁଥିବା ନଜର ଆସିଛି । କିନ୍ତୁ ଏହି ଦୃଶ୍ୟକୁ ସ୍କ୍ରିନରେ ଅଭିନୟ କରିବା ଦିବ୍ୟାଙ୍କ ପାଇଁ ଏତେ ସହଜ ନଥିଲା । ରଜନୀକାନ୍ତଙ୍କ ସମୁଖରେ ସିଗାରେଟ ଟାଣିଲା ବେଳକୁ ଦିବ୍ୟାଙ୍କ ହାତ ଥରି ଥିଲା l ଯେଉଁଥି ପାଇଁ ସେ ଲଜ୍ୟା ଅନୁଭବ କରିଥିଲେ l କିନ୍ତୁ ଏହି ପରିସ୍ଥିତିରେ ରାଜିନୀକାନ୍ତ ଦିବ୍ୟାଙ୍କୁ ସହାନୁଭୂତି ଦେଖାଇଥିବା କଥା ଦିବ୍ୟା କହିଛନ୍ତି l

ପରବର୍ତ୍ତୀ ସମୟରେ ଏହି ସିଗାରେଟ ଦୃଶ୍ୟକୁ ଭଲ ଭାବରେ କରିବା ପାଇଁ ଦିବ୍ୟା ସକାଳୁ ସକାଳୁ ଅଭ୍ୟାସ କରିଥିଲେ । ସେଟ୍ର ଗୋଟିଏ କୋଣରେ ବସି ନିଜ ହାତ ଥରୁଛି କି ନାହିଁ, ତାହା ଯାଞ୍ଚ କରିଥିଲେ। ଏହି ଅନୁଭୂତିକୁ ମନେ ପକାଇ ସେ ହସି ହସି କହିଥିଲେ ଯେ ଏହା ଏକ ମଜାଦାର ଅନୁଭବ ଥିଲା।

ବିଦ୍ୟା ବାଲନ୍ ଏବେ ପରଦାରେ ନକାରାତ୍ମକ ଓ ଜଟିଳ ଚରିତ୍ରରେ ଅଭିନୟ କରିବାକୁ ଅଧିକ ଉପଭୋଗ କରୁଛନ୍ତି। ମରାଠୀ ଫିଲ୍ମ ‘ରାଜା ଶିବାଜୀ’ରେ ବଡ଼ି ବେଗମ୍ ଚରିତ୍ରରେ ଅଭିନୟ କରିବା ପରେ ‘ଜେଲର୍ ୨’ରେ ମଧ୍ୟ ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ।

ବିଦ୍ୟାଙ୍କ କହିବା ଅନୁଯାୟୀ, ସବୁବେଳେ ଭଲ ଝିଅ ଚରିତ୍ରରେ ଅଭିନୟ କରିବା ତାଙ୍କୁ ବିରକ୍ତ କରିଦେଇଥିଲା। ତାଙ୍କୁ ଏବେ ଏଭଳି ଚରିତ୍ର ପସନ୍ଦ, ଯେଉଁଥିରେ ଅଭିନୟର ଭିନ୍ନ ଦିଗ ଦେଖାଇବାର ସୁଯୋଗ ରହିଛି। ‘ରାଜା ଶିବାଜୀ’ରେ ଚତୁର ଓ ଷଡ଼ଯନ୍ତ୍ରକାରୀ ମହିଳା ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଏକ ନୂଆ ଅନୁଭୂତି ଥିଲା ବୋଲି ସେ କହିଛନ୍ତି।

ବିଦ୍ୟା ବାଲନ୍ଙ୍କ ଆଗାମୀ ଯୋଜନା କେବଳ ହିନ୍ଦୀ ସିନେମାରେ ସୀମିତ ନୁହେଁ। ସେ ଭବିଷ୍ୟତରେ ସମସ୍ତ ଭାରତୀୟ ଭାଷାରେ ଫିଲ୍ମ କରିବାକୁ ଚାହାନ୍ତି। ନିଜେ ଜଣେ ତାମିଲ୍ ହୋଇଥିବାରୁ ‘ଜେଲର୍ ୨’ ତାଙ୍କ ପାଇଁ ଅଧିକ ଉତ୍ସାହଜନକ ବୋଲି ସେ କହିଛନ୍ତି। ଏହା ସହିତ ସେ ନିର୍ଦ୍ଦେଶକ ଆର୍. ବାଲ୍କିଙ୍କ ସହ ଏକ ତାମିଲ୍ ଫିଲ୍ମରେ କାମ କରୁଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ତାଙ୍କୁ ବାଲ୍କିଙ୍କ ସହ ପୁଣି ଥରେ କାମ କରିବାର ସୁଯୋଗ ଦେଇଛି। ଏହା ପୂର୍ବରୁ ଉଭୟେ ‘ପା’ ଓ ‘ମିଶନ୍ ମଙ୍ଗଳ’ ଭଳି ପ୍ରୋଜେକ୍ଟରେ ଏକାଠି କାମ କରିଥିଲେ।

ବିଦ୍ୟା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନରେ ଯାହା ଘଟିଛି, ତାହା ଠିକ୍ ସମୟରେ ଘଟିଛି ବୋଲି ସେ ବିଶ୍ୱାସ କରନ୍ତି। ପ୍ରାରମ୍ଭିକ ବିଫଳତା ହେଉ କିମ୍ବା କିଛି ଭଲ ସୁଯୋଗ ହାତଛଡ଼ା ହେବା, ସେ ଏବେ ସେସବୁକୁ ନେଇ ଅନୁତାପ କରୁନାହାନ୍ତି।

ବିଦ୍ୟା ବାଲନ୍ଙ୍କ ଆଉ ଏକ ଅଧୁରା ସ୍ୱପ୍ନ ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା। ଏହି ବିଷୟକୁ ନେଇ ରିତେଶ ବତ୍ରାଙ୍କ ନିର୍ଦ୍ଦେଶନାରେ ଏକ ୱେବ୍ ସିରିଜ୍ କରିବାର ଯୋଜନା ରହିଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହି ପ୍ରୋଜେକ୍ଟ ଏଯାଏଁ ଆଗକୁ ବଢ଼ିପାରିନାହିଁ।

ବିଦ୍ୟାଙ୍କ ମତରେ, ଇନ୍ଦିରା ଗାନ୍ଧୀଙ୍କ ଜୀବନକୁ ଗୋଟିଏ ଫିଲ୍ମରେ ସମ୍ପୂର୍ଣ୍ଣ ଭାବେ ଦେଖାଇବା କଷ୍ଟକର। ତେଣୁ ଏହି ଚରିତ୍ରକୁ ଏକ ସିରିଜ୍ ମାଧ୍ୟମରେ ଉପସ୍ଥାପନ କରିବା ଅଧିକ ଉପଯୁକ୍ତ ବୋଲି ସେ ଭାବନ୍ତି। ତଥାପି ଏହି ସ୍ୱପ୍ନ ପୂରଣ ହେବ ବୋଲି ସେ ଆଶା ଛାଡ଼ିନାହାନ୍ତି।

also read- ଅମିତାଭ ଓ ଜୟାଙ୍କ ପ୍ରେମ କାହାଣୀ ,ପ୍ରଥମେ ଝଗଡା ପରେ ପ୍ରେମ

ହିନ୍ଦୀ ସିନେମାରୁ ଆରମ୍ଭ କରି ମରାଠୀ ଓ ତାମିଲ୍ ଫିଲ୍ମ ପର୍ଯ୍ୟନ୍ତ ବିଦ୍ୟା ବାଲନ୍ଙ୍କ ଏହି ନୂଆ ଯାତ୍ରା ତାଙ୍କ ଅଭିନୟ ପ୍ରତି ଥିବା ଭୋକକୁ ପ୍ରକାଶ କରୁଛି। ଅତୀତର ଅସୁବିଧାକୁ ପଛରେ ପକାଇ ନୂଆ ଭାଷା, ନୂଆ ଚରିତ୍ର ଓ ନୂଆ ଚ୍ୟାଲେଞ୍ଜ୍କୁ ଗ୍ରହଣ କରିବା ହିଁ ଏବେ ତାଙ୍କର ଲକ୍ଷ୍ୟ। ତେଣୁ ‘ଜେଲର୍ ୨’ କେବଳ ତାଙ୍କର ତାମିଲ୍ ସିନେମାକୁ ଫେରିବା ନୁହେଁ, ବରଂ ତାଙ୍କ କ୍ୟାରିୟର୍ର ଏକ ନୂଆ ଅଧ୍ୟାୟ ଭାବେ ଦେଖାଯାଉଛି।