ନୂଆଦିଲ୍ଲୀ ୧୦।୦୯; ଛାତିର ବାମପଟେ ପ୍ରବଳ ଯନ୍ତ୍ରଣା… ଚିନ୍ତାରେ ପରିବାର। ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଲେ ୩୩ ବର୍ଷୀୟା ମହିଳା। ହେଲେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖି ଡାକ୍ତରଙ୍କ ଉଡ଼ିଗଲା ହୋସ୍! ପେଟ ଭିତରେ ଥିଲା କଲମ, ନଟ୍ ବୋଲ୍ଟ ସହ ଏକାଧିକ ଜିନିଷ। ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ନରସାରାଓପେଟରୁ।ସୂଚନା ଅନୁସାରେ, ମହିଳାଙ୍କୁ ଯେତେବେଳେ ଡାକ୍ତରଖାନା ଅଣାଯାଇଥିଲା, ତାଙ୍କ ଛାତିର ବାମପଟେ ଭୀଷଣ ଯନ୍ତ୍ରଣା ହେଉଥିଲା। ପରୀକ୍ଷା ପରେ ତାଙ୍କ ପେଟ ଭିତରେ ନଟ୍ ବୋଲ୍ଟ ଓ କଲମ ଭଳି ଜିନିଷ ଥିବା ଜଣାପଡ଼ିଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା, ଏହା ଭିତରେ ଥିବା ଗୋଟିଏ ଜିନିଷର ଲମ୍ବ ପ୍ରାୟ ୨୫ ସେଣ୍ଟିମିଟର ଥିଲା। ଏତେ ଲମ୍ବା ଜିନିଷ ଖାଦ୍ୟନଳୀ ଦେଇ ପେଟ ଭିତରକୁ ଯିବା ଅତ୍ୟନ୍ତ ବିରଳ ବୋଲି ଡାକ୍ତର କହିଛନ୍ତି। ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ଅସ୍ତ୍ରୋପଚାର କରି ପେଟ ଭିତରୁ ଏହି ସବୁ ଜିନିଷ ବାହାର କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ଚିକିତ୍ସା କ୍ୟାରିୟରରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି।

ତେବେ ପ୍ରଶ୍ନ ଉଠୁଛି କାହିଁକି ଜଣେ ମହିଳା ଏଭଳି ବିପଜ୍ଜନକ ଜିନିଷ ଗିଳିଲେ? ରିପୋର୍ଟ ଅନୁସାରେ, ପିତାଙ୍କ ସହ ବିବାଦ ପରେ କ୍ରୋଧ ଓ ମାନସିକ ଚାପରେ ସେ ଏହି ଜିନିଷଗୁଡ଼ିକୁ ଗିଳିଥିବା ଜଣାପଡ଼ିଛି। ଏହା ପ୍ରଥମ ଘଟଣା ନୁହେଁ। ପ୍ରାୟ ଏକ ବର୍ଷ ପୂର୍ବରୁ ସେ ଚାରୋଟି କଲମ ଗିଳିଥିଲେ। ସେତେବେଳେ ମଧ୍ୟ ଅସ୍ତ୍ରୋପଚାର କରି ସେଗୁଡ଼ିକୁ ବାହାର କରାଯାଇଥିଲା। ଡାକ୍ତରମାନଙ୍କ ମତରେ, ଏଭଳି ବାରମ୍ବାର ଅଖାଦ୍ୟ ଜିନିଷ ଗିଳିବା ପଛରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିପାରେ। ସେଥିପାଇଁ ଅସ୍ତ୍ରୋପଚାର ପରେ ମହିଳାଙ୍କୁ ମନୋଚିକିତ୍ସକଙ୍କ ପରାମର୍ଶ ଓ ଚିକିତ୍ସା ଦିଆଯାଉଛି।

ଛୋଟ ଅସାବଧାନତା, ବଡ଼ ବିପଦ

ଡାକ୍ତରଙ୍କ ଚେତାବନୀ କଲମ, ନଟ୍ ବୋଲ୍ଟ, ଜିନିଷ କିମ୍ବା ଅନ୍ୟ କୌଣସି ତୀକ୍ଷ୍ଣ ଜିନିଷ ଗିଳିବା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଗୁଡ଼ିକ ଖାଦ୍ୟନଳୀ, ପେଟ କିମ୍ବା ଅନ୍ତନଳୀକୁ ଆଘାତ କରିପାରେ, ଏପରିକି ଅନ୍ତନଳୀରେ ଛିଦ୍ର ମଧ୍ୟ ହୋଇପାରେ। କେବଳ ଶାରୀରିକ ଚିକିତ୍ସା ନୁହେଁ, ଏଭଳି ଘଟଣାର ମୂଳ କାରଣ ଖୋଜି ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ। ଏହି ଅଜବ ଘଟଣା… ଯାହା ଦେଇଛି ବଡ଼ ଚେତାବନୀ କ୍ରୋଧ କିମ୍ବା ମାନସିକ ଚାପରେ ନିଆଯାଇଥିବା ଗୋଟିଏ ଭୁଲ ପଦକ୍ଷେପ, ଜୀବନକୁ ନେଇପାରେ ବଡ଼ ବିପଦରେ।