ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଲୋକଙ୍କୁ ପାକିସ୍ତାନ ସୁରକ୍ଷା ଦେଉଛି ବୋଲି ଏନସିପି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଯେଉଁ ବୟାନ ଦେଇଥିଲେ ଆଜି ତାକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍। ପାକିସ୍ତାନ ଭାରତ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଲୋକଙ୍କର ଶତ୍ରୁ ବୋଲି ଆଜାଦ କହିଛନ୍ତି।

ଫାରୁକଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ ଏକ୍ସ ପୋଷ୍ଟରେ ଆଜାଦ ଲେଖିଛନ୍ତି “ ମୁଁ ଫାରୁକ ଶାହାବଙ୍କୁ ସମ୍ମାନ କରେ। କିନ୍ତୁ ତାଙ୍କର ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ। ଯଦି ଭାରତ ଓ ଜାମ୍ମୁ-କାଶ୍ମୀର ଲୋକଙ୍କର କେହି ଶତ୍ରୁ ଥାଏ, ତେବେ ସିଏ ହେଉଛି ପାକିସ୍ତାନ।”

ଆଜାଦ ତାଙ୍କ ପୋଷ୍ଟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ସ୍ଥିତିକୁ ବୟାନ କରିଛନ୍ତି। ସେଠାକାର ଲୋକମାନେ ନିଜ ଅଧିକାର ପାଇଁ ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ଆଜାଦ୍ କହିଛନ୍ତି। ଏଥିସହିତ ସ୍ୱାଧୀନତା ପରଠାରୁ ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ କେନ୍ଦ୍ରରେ ରହିଆସିଥିବା ବିଭିନ୍ନ ସରକାରଗୁଡ଼ିକର ଅନେକ ଯୋଗଦାନ ଦେଇଛନ୍ତି ବୋଲି ଆଜାଦ କହିଛନ୍ତି।

ସେ କହିଛନ୍ତି “୧୯୪୭ ମସିହାରୁ ନେହରୁଙ୍କ ଠାରୁ ଆରମ୍ଭ କରି ମୋଦୀଙ୍କ ପର୍ଯ୍ୟନ୍ତ, ରାଜନୈତିକ ମତବାଦ ନିର୍ବିଶେଷରେ କ୍ରମାଗତ କେନ୍ଦ୍ର ସରକାରଗୁଡ଼ିକ ଜମ୍ମୁ ଓ କାଶ୍ମୀରର ବିକାଶରେ ଯୋଗଦାନ ଦେଇଆସିଛନ୍ତି।” ହେଲେ ପାକିସ୍ତାନ ୧୯୪୭ରୁ ଜାମ୍ମୁ-କାଶ୍ମୀରେ ଆତଙ୍କ ଖେଳାଉଛି। ଆତଙ୍କାବାଦୀ ପଠାଇ ଆଶାନ୍ତି କରୁଛି। ପିଓକେରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସେମାନେ ଏବେ ଭାରତରେ ମିଶିବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ ଫାରୁକ ଅବଦୁଲ୍ଲାଙ୍କର ଏଭଳି ବୟାନ ଦେବା ଭୁଲ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

କ'ଣ କହିଥିଲେ ଫାରକୁ ?

ଶନିବାର ବାରାମୂଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ ସମର୍ଥନ କରିଥିଲେ। ଅନ୍ୟପଟେ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଜାମ୍ମୁ-କାଶ୍ମୀର ସମସ୍ୟା କଥା ଉଠଉଛି। ସେଠାକାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସବୁଆଡ଼େ ଯାଇଛନ୍ତି କହୁଛନ୍ତି ଯେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇ ନାହିଁ। ସେ ଆମକୁ ପ୍ରକୃତରେ ସୁରକ୍ଷା ଦେଉଛନ୍ତି। ନହେଲେ ଭାରତ ସରକାରଙ୍କ ଉଦ୍ଦେଶ୍ୟ ଭଲ ନୁହେଁ। ଭାରତ ବିଦେଶୀ ଚାପରେ ଚୁପ ରହିଛି।

ଭାରତ ସରକାରଙ୍କ ସାମ୍ନା କରିବାକୁ ସେ ଜାମ୍ମୁ-କାଶ୍ମୀରବାସୀଙ୍କୁ ଉସ୍‌କାଉଥିବା ଦେଖିବାକୁ ମିଳୁଛି। ସଭାରେ ସେ କହୁଛନ୍ତି "ଦିଲ୍ଲୀ ଠାରୁ ଆପଣ କ’ଣ ଆଶା କରିପାରନ୍ତି? ସେମାନେ ଆପଣଙ୍କୁ ନ୍ୟାୟ ଦେବେ ବୋଲି ଆଶା କରୁଛନ୍ତି? ଲଢ଼ିବା ପାଇଁ ସାହସ ରଖନ୍ତୁ, ନଚେତ୍ ଆପଣ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବେ ଏବଂ ଆପଣଙ୍କ ପରିଚୟ ମଧ୍ୟ ଲୋପ ପାଇଯିବ।" ଜମ୍ମୁ-କାଶ୍ମୀର ଦିନେ ନା ଦିନେ ପୁଣି ଥରେ ତାର ସ୍ୱତନ୍ତ୍ର ମାନ୍ୟତା ହାସଲ କରିବ ବୋଲି ଫାରକୁ ଅବଦୁଲ୍ଲା ବୟାନ ଦେଇଥିଲେ।

ଯାହାକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ବିଜେପି ନେତା ଅଲତାଫ ଠାକୁର ଅବଦୁଲ୍ଲାଙ୍କ ବୟାନ ଦେଶ ବିରୋଧରେ ଖୋଲା ବିଦ୍ରୋହ ବୋଲି କହିଥିଲେ। ତାଙ୍କର ଏପରି ବୟାନବାଜୀ ଦେଶର ଏକତା ଓ ଅଖଣ୍ଡତା ଲାଗି ଏକ ଆହ୍ୱାନ ବୋଲି ସେ କହିଛନ୍ତି। ନ୍ୟାସନାଲ କନଫରେନ୍ସ ସର୍ବଦା ଏକ ଦେଶ ବିରୋଧୀ ଦଳ ଥିଲା ରହିଛି ଓ ଆଗକୁ ବି ରହିବ ବୋଲି କହିଥିବା ବେଳେ ଅବଦୁଲ୍ଲାଙ୍କ ବିରୋଧରେ ସେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।