ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁର୍ସିଦାବାଦର ବେଲଡାଙ୍ଗାର ଜଣେ କିଶୋର ଇକବାଲ, ଏକ ଅଜଣା ରୋଗରେ ପୀଡ଼ିତ ଥିବାରୁ ଦିନରାତି ପୋଖରୀରେ ବିତାଉଥିଲେ। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ଅନନ୍ତ ଅମ୍ବାନୀଙ୍କ ନଜର ପଡ଼ିଥିଲା । ଏବେ ଅନନ୍ତ ଅମ୍ବାନୀ, ଇକବାଲଙ୍କୁ ସାହଯ୍ୟର ହାତ ବଢ଼ାଇଛନ୍ତି । ଅମ୍ବାନୀଙ୍କ ସହାୟତାରେ ତାଙ୍କୁ ବିମାନ ଯୋଗେ ମୁମ୍ବାଇ ନିଆଯାଇଛି। ବର୍ତ୍ତମାନ ତାଙ୍କୁ 'ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ'ରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି।

ଶରୀରରେ ପ୍ରବଳ ଜଳାପୋଡ଼ା ହୁଏ

ଇକବାଲଙ୍କ କହିବା ଅନୁଯାୟୀ, ପାଣିରୁ ବାହାରିଲେ ତାଙ୍କ ଶରୀରରେ ପ୍ରବଳ ଜଳାପୋଡ଼ା ହୁଏ। ଏହା ସହିତ ସେ ଏକ ଅଲୌକିକ ଶକ୍ତିର ପ୍ରଭାବ ଅନୁଭବ କରୁଥିବା କହିଛନ୍ତି, ଯେଉଁଥିପାଇଁ ସେ ସକାଳୁ ରାତି ପର୍ଯ୍ୟନ୍ତ ପୋଖରୀ ପାଣିରେ ଭାସି ରହୁଥିଲେ। ଇକବାଲଙ୍କ ପରିବାର ପୂର୍ବରୁ ତାଙ୍କୁ ହସ୍ପିଟାଲ ନେଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା। ଦୀର୍ଘକାଳୀନ ଚିକିତ୍ସାର ଖର୍ଚ୍ଚ ବହନ କରିବାକୁ ପରିବାର ଅସମର୍ଥ ହୋଇପଡ଼ିଥିଲେ।

ସାହଯ୍ୟ କଲେ ଅନନ୍ତ ଅମ୍ବାନୀ

ଭାଇରାଲ ଭିଡିଓ ଦେଖିବା ପରେ ଡାକ୍ତରୀ ଦଳ ସହ ଆଲୋଚନା କରି ଅନନ୍ତ ଅମ୍ବାନୀ ତାଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ଆଣିବା ସହ ଚିକିତ୍ସା ଭାର ଗ୍ରହଣ କରିଛନ୍ତି। ଡାକ୍ତରଙ୍କ ଅନୁସାରେ , ଅଧିକ ସମୟ ପାଣିରେ ବୁଡ଼ି ରହିବା ଦ୍ୱାରା ଚର୍ମ ନରମ ଓ ଧଳା ପଡ଼ିଯାଏ (Maceration), ଯାହାଦ୍ୱାରା ଚର୍ମରେ ଫାଟ ସୃଷ୍ଟି ହୋଇ ଫଙ୍ଗାଲ୍ ଏବଂ ବ୍ୟାକ୍ଟେରିଆଲ୍‌ ଇନଫେକସନ୍‌ର ଆଶଙ୍କା ବୃଦ୍ଧି ପାଏ।

ମୁମ୍ବାଇର ବିଶେଷଜ୍ଞ ଡାକ୍ତରୀ ଦଳ ବର୍ତ୍ତମାନ ତାଙ୍କର ପରୀକ୍ଷାନିରୀକ୍ଷା କରି ଏହି ଜଳାପୋଡ଼ାର ସଠିକ୍ କାରଣ ସନ୍ଧାନ କରୁଛନ୍ତି। ପୋଖରୀରେ ଇକବାଲଙ୍କ ଫଟୋ ଏବଂ ଭିଡିଓ ଅନଲାଇନରେ ପ୍ରସାରିତ ହେବା ପରେ ଏହି ମାମଲା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଥିଲା। ସେପଟେ ଇକବାଲଙ୍କ ଚିକିତ୍ସା ଲାଗି ପରିବାର ଅସମର୍ଥ ଥିଲା । ଏବେ ଇକବାଲଙ୍କୁ ଅନନ୍ତ ଅମ୍ବାନୀ ସହାୟତା କରିଛ, ତାଙ୍କର ଚିକିତ୍ସା ଚାଲିଛି ।