ନୂଆଦିଲ୍ଲୀ,୨୬|୦୬ଜଳୁଛି ୟୁରୋପ । ତାପମାତ୍ରା ବୃଦ୍ଧିର ପ୍ରଭାବରେ ଏବେ ପ୍ରଭାବିତ ୟୁରୋପର ଅନେକ ଦେଶ । ଦିନ ସହ ରାତି ତାପମାତ୍ରା ବି ବଢିଲାଣି । ଯାହା ଆଗକୁ ସୃଷ୍ଟି କରିବ ଭୟଙ୍କର ସ୍ଥିତି । ସାମାଜିକ ସହ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବ । ଭାରତରେ ମଧ୍ୟ ସମାନ ପରିସ୍ଥିତି ।

ରିପୋର୍ଟ ଅନୁସାରେ, ୟୁରୋପରେ ଲୋକଙ୍କ ଆୟ କମୁଛି । ଯାହା ପୂର୍ବାପେକ୍ଷା ୩ ପ୍ରତିଶତ କମିଲାଣି । ଏହାର କାରଣ ହେୁଛି ତାତି ଏବଂ ମରୁଡି । ଭାରତୀୟ ମଧ୍ୟ ସମାନ ପରିସ୍ଥିତିର ଶିକାର ହେବାକୁ ଯାଉଛନ୍ତି । କାରଣ ଏଠାକାର ଅନେକ ଲୋକ ଚାଷବାସ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ମୌସୁମୀ ଧୋକା ଦେବାର ସମ୍ଭାବନା ଅଧିକ । କାରଣ ଏଲ୍ ନିନୋ ପ୍ରଭାବରେ ମୌସୁମୀ ଦୁର୍ବଳ ହୋଇଛି । ଯେତିକି ବର୍ଷା ହେବା କଥା ତାଠାରୁ କମ୍ ବର୍ଷା ହୋଇଛି ।

Also Read :- ଭୂକମ୍ପ ପୂର୍ବରୁ ଗୁଗଲ ଦେଇଥିଲା ଚେତାବନୀ, ଫୋନରେ ବାଜିଲା ସାଇରନ : ଆପଣଙ୍କ ମୋବାଇଲରେ ବି ଅଛି ଏହି ଫିଚର୍ସ

ବିଶ୍ୱବ୍ୟାଙ୍କର ରିପୋର୍ଟ କହୁଛି ଯେ, ଯଦି ହାରାହାରି ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଏ ତାହାଲେ ଏହା ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିବ । ଅସମାନତା ବୃଦ୍ଧି ପାଇବା ସଙ୍ଗେ ଦାରିଦ୍ର୍ୟ ବଢିଯିବ । ଏମିତି ବି ତାପମାତ୍ରା ବୃଦ୍ଧି ଏବଂ ବ୍ୟକ୍ତିଗତ ଆୟ ପରସ୍ପର ପରିପୂରକ । ଅର୍ଥାତ ତାତି ବଢିଲେ ଆୟ ହ୍ରାସ ପାଏ । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏହି ତାରତମ୍ୟ ଅଧିକ । କୃଷିକାର୍ଯ୍ୟରେ ସଙ୍କଟ ମାଡି ଆସେ ।

ପ୍ରଫେସର ସଞ୍ଜୟ କୁମାରଙ୍କ କହିବାନୁସାରେ, ଅଧିକ ହିଟଓ୍ୱେଭ୍ କାରଣ କେବଳ ଜଳବାୟୁ ଉପରେ ପ୍ରଭାବ ପକାଏ ନାହିଁ । ଏହା ରୋଜଗାର, ଉତ୍ପାଦନ, ଖାଦ୍ୟ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଭାରତର ୯୦ ପ୍ରତିଶତ ବ୍ୟକ୍ତି ଅନଫର୍ମାଲ୍ ସେକ୍ଟର ବା ଶ୍ରମିକ, ଦୋକାନୀ, ଚାଷବାସ ଆଦିରେ କାମ କରନ୍ତି । ଯେଉଁମାନଙ୍କ ମେରୁଦଣ୍ଡକୁ ତାତିବୃଦ୍ଧି ଭାଙ୍ଗିପକାଏ ।

କୃଷିକ୍ଷେତ୍ରରେ ପ୍ରଭାବ

ଅଧିକ ତାପମାତ୍ରା ବଢିଲେ ବିହନ ନଷ୍ଟ ହେବାର ସମ୍ଭାବନା ରହିଛି । ଆଗକୁ ଯଦି ଏପରି ଜାରି ରହେ ତାହାଲେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ୯୦ ପ୍ରତିଶତ ନିଜର ରୋଜଗାର ହରାଇବେ । ସୁପର ଏଲନିନୋ ପାଇଁ ଚଳିତ ବର୍ଷ ବର୍ଷା ଠିକ୍ ଭାବେ ହେବ ନାହିଁ । ଯାହା ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି କରିବ ।

ଦରଦାମ୍ ବୃଦ୍ଧି

ଜଳବାୟୁର ପରିବର୍ତ୍ତନ ତଥା ହିଟଓ୍ୱେଭ୍ ଦରଦାମ ବୃଦ୍ଧିର କାରଣ ହୋଇପାରେ । ବର୍ଷା ନହେବାକୁ ଚାଷକାର୍ଯ୍ୟ ପ୍ରଭାବିତ ହେବ । ଉତ୍ପାଦନ କମିବ । କିନ୍ତୁ ଚାହିଦା ବଢିବ । ଫଳରେ ଦରଦାମ ମଧ୍ୟ ବୃଦ୍ଧି ପାଇବ । ପରିବା ଦରରେ ୬ରୁ ୧୫ ପ୍ରତିଶତ ଯାଏଁ ବୃ୍ଦ୍ଧି ନେଇ ଆକଳନ କରାଯାଉଛି ।

କମିବ ଜିଡିପି

ଭାରତର ଜିଡିପି ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି । ୨୦୫୦ ସୁଦ୍ଧା ଜିଡିପିରେ ୨.୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇପାରେ । ଛତିଶଗଡ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଅଧିକ କ୍ଷତି ହେବା ନେଇ ଅନୁମାନ କରାଯାଉଛି ।

ଏତତ୍ ବ୍ୟତୀତ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ । ବର୍ଷା ନହେଲେ ଜଳସଙ୍କଟ ମଧ୍ୟ ସୃଷ୍ଟି ହେବ । ସେହିପରି ଏହା ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇବ ।