କୋଲକାତା: ଏୟାରପୋର୍ଟରେ ଛିଡା ହୋଇଥିବା ଏକ ଇଣ୍ଡିଗୋ ବିମାନ ଉପରେ ଶୁକ୍ରବାର ବଜ୍ରପାତ ହୋଇଛି। ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣ ଏହି ସୂଚନା ଦେଇଛନ୍ତି। ଏହି ବିମାନଟି ଅଗରତାଲା ଯିବାକୁ ଥିଲା ଓ ଏଥିରେ ଚାଲକ ଦଳ ସଦସ୍ୟ ସମେତ ୧୪୭ ଜଣ ଯାତ୍ରୀ ଥିଲେ। ତେବେ ବିମାନ ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି। ଏହି ଘଟଣା ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ୬୦୬୮ରେ ହୋଇଛି। ବିମାନଟି ଏରୋବ୍ରିଜ ୫୬ଏଲ ରେ ଛିଡା ହୋଇଥିଲା।

ଏୟାରପୋର୍ଟ ଅପରେସନ କଣ୍ଟ୍ରୋଲ ସେଣ୍ଟର (ଏଓସିସି) ପୂର୍ବରୁ ପାଣିପାଗକୁ ନେଇ ସତର୍କତା ଜାରି କରିଥିଲେ। କାରଣ ଏୟାରପୋର୍ଟ ଅଞ୍ଚଳରେ ଝଡ଼ ତୋଫାନ ସହ ବର୍ଷା ଲାଗି ରହିଥିଲା। ଅଧିକାରୀଙ୍କ ଅନୁସାରେ ପ୍ରାକୃତିକ ଦୁର୍ଘଟଣାରେ କୌଣସି ପ୍ରକାର ଧନଜୀବନ ହାନୀ ହୋଇ ନାହିଁ। ତେବେ ସତର୍କତା ସ୍ୱରୂପ ବିମାନରେ ଥିବା ୬ ଚାଳକ ଦଳ ସଦସ୍ୟଙ୍କ ସମେତ ୧୪୭ ଜଣ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଭିସି-ଆଇସିଡିରେ ବସା ଯାଇଥିଲା ଯାହା ଅଗରତାଲା ଅଭିମୁଖେ ଯାତ୍ରା କରିଛି।

ଇଣ୍ଡିଗୋ ଅନୁସାରେ ବଜ୍ରପାତ ହେବା ଯୋଗୁ ରନୱେରେ କାମ କରୁଥିବା ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରୀ ଯାଞ୍ଚ ନିମନ୍ତେ ହସ୍ପିଟାଲ ପଠା ଯାଇଛି। ଶୁକ୍ରବାର ସକାଳୁ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଣୁ ଅନେକ ତଳିଆ ଅଞ୍ଚଳରେ ପାଣି ଭରି ଯାଇଥିବା ବେଳେ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଛି।