ମୁମ୍ବାଇ ୧୨।୧୦: ବଲିଉଡ୍‌ ମେଗାଷ୍ଟାରଙ୍କ ନାଁ ଆଉ ଠିକଣା ‘ଜଲସା’! ଯେଉଁ ଘର ସାମ୍ନାରେ ପ୍ରତି ରବିବାର ଜମେ ହଜାର ହଜାର ପ୍ରଶଂସକଙ୍କ ଭିଡ଼। ସେହି ବଙ୍ଗଳାର ଭବ୍ୟତା ଦେଖିଲେ ଆଖି ଲାଖିଯାଏ। ଆଉ ଏହି ଘର ସହ ଜଡ଼ିତ ରହିଛି ବଲିଉଡ୍ର ଏକ ବଡ଼ କାହାଣୀ।

ମୁମ୍ବାଇର ଏହି ରାଜକୀୟ ବଙ୍ଗଳା କେବଳ ବିଗ୍ ବିଙ୍କ ବାସଭବନ ନୁହେଁ, ବରଂ ତାଙ୍କ ଷ୍ଟାରଡମ୍ର ଏକ ପରିଚୟ। ନାଁ ତା’ର ‘ଜଲସା’, ଅର୍ଥାତ୍ ଉତ୍ସବ! ତେବେ କେମିତି ଦେଖିବାକୁ ବିଗ୍ ବିଙ୍କ ଏହି ବିଳାସପୂର୍ଣ୍ଣ ଘର? କେଉଁଠି ରହିଛି ଏହାର ସବୁଠୁ ଆକର୍ଷଣୀୟ ସ୍ଥାନ? ଆସନ୍ତୁ, ଦେଖିବା ଅମିତାଭ ବଚ୍ଚନଙ୍କ ରାଜକୀୟ ଠିକଣା ‘ଜଲସା’ର ଏକ ଝଲକ।

ଅମିତାଭ ବଚ୍ଚନ ଏହି ବଙ୍ଗଳାରେ ତାଙ୍କ ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ସହ ରୁହନ୍ତି। ଏହି ବଙ୍ଗଳାର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ ଏବଂ ଏହା ବଲିଉଡର ସବୁଠାରୁ ମହଙ୍ଗା ଘରଗୁଡ଼ିକ ମଧ୍ୟରେ ଅନ୍ୟତମ।

'ଜଲସା'ର ଭିତର ସାଜସଜ୍ଜା ଏବଂ ଡିଜାଇନ୍ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ଥିବା ନିଆରା ଆସବାବପତ୍ର ଓ ସାଜସଜ୍ଜା ସାମଗ୍ରୀ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ନିର୍ଦ୍ଦେଶକ ରମେଶ ସିପି 'ବିଗ୍ ବି'ଙ୍କୁ 'ଜଲସା' ଉପହାର ସ୍ୱରୂପ ଦେଇଥିଲେ। ୧୯୮୨ ମସିହାର ଚଳଚ୍ଚିତ୍ର 'ସତ୍ତେ ପେ ସତ୍ତା'ରେ ଅମିତାଭଙ୍କ ଅଭିନୟ ଦ୍ୱାରା ସିପି ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ଏହି ବଙ୍ଗଳାଟି ପ୍ରଦାନ କରିଥିଲେ।

ବିଗ୍ ବିଙ୍କ ଏହି ବଙ୍ଗଳା ପ୍ରାୟ ୧୦,୧୨୫ ବର୍ଗଫୁଟ ଅଞ୍ଚଳରେ ବ୍ୟାପି ରହିଛି। ବର୍ତ୍ତମାନ ଏହାର ମୂଲ୍ୟ ୨୦୦ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି।

ଘରର ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ପାମ୍ ଟ୍ରି ଏବଂ ଅନ୍ୟାନ୍ୟ ଗଛଲତା ରହିଛି। ପ୍ରତି ରବିବାର ଅମିତାଭ ବଚ୍ଚନ 'ଜଲସା' ବାହାରେ ଏକାଠି ହୋଇଥିବା ପ୍ରଶଂସକମାନଙ୍କୁ ଭେଟନ୍ତି ଏବଂ ସେମାନଙ୍କ ସାମ୍ନାରେ ସାମୟିକ ଭାବେ ଦେଖା ଦିଅନ୍ତି।

ଏହି ବଙ୍ଗଳାର ନାମ 'ଜଲସା' ରଖାଯାଇଥିଲା, ଯାହାର ଅର୍ଥ ହେଉଛି 'ଉତ୍ସବ' ବା ସେଲିବ୍ରେସନ। ଏହି ଘରର କାଠ ନିର୍ମିତ ପ୍ରବେଶ ଦ୍ୱାର ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ।

ବଙ୍ଗଳା ଭିତରେ ସୁନ୍ଦର କଳାକୃତି ଏବଂ ଚିତ୍ରକଳା ରହିଛି। ଭିତରକୁ ପାଦ ଦେବା ମାତ୍ରେ ଏହାର ଭବ୍ୟତା ଯେକାହାରି ଦୃଷ୍ଟି ଆକର୍ଷଣ କରିଥାଏ।

ଏହି ମେଗାଷ୍ଟାରଙ୍କ ବଙ୍ଗଳାରେ ଏକ ରେକର୍ଡିଂ ସ୍ଥାନ ମଧ୍ୟ ରହିଛି, ଯେଉଁଠାରେ ସେ ନିଜ ଶୋ’, କବିତା ଆବୃତ୍ତି ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟ ପାଇଁ ବିଭିନ୍ନ ବିଷୟବସ୍ତୁ ରେକର୍ଡ କରନ୍ତି।

ବିଗ୍ ବି ତାଙ୍କ ଲିଭିଂ ରୁମ ସାତୋଟି ଘୋଡ଼ାର ଏକ ଚିତ୍ର ଲଗାଇଛନ୍ତି। ଯାହା ସମୃଦ୍ଧି ଆଣିବା ପାଇଁ ପ୍ରାୟତଃ ଘରେ ରଖାଯାଇଥାଏ। ଏହା ଜ୍ୟୋତିଷ ଶାସ୍ତ୍ର ପ୍ରତି ତାଙ୍କର ବିଶ୍ୱାସକୁ ସୂଚିତ କରେ।