ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ’ମୁଁ ଏମାନଙ୍କ ବିରୋଧରେ ଏକ ଦଶନ୍ଧୀରୁ ଅଧିକ କାଳ ହେଲା ଲଢି ଆସୁଛି। ମୁଁ ବିରୋଧୀଙ୍କୁ ଏତେ ଭଲ ଭାବେ ବୁଝିଛି ଯେ, ଯେତିକି କେହି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବୁଝନ୍ତି। ମୁଁ ସେମାନଙ୍କୁ ଭିତର ପର୍ଯ୍ୟନ୍ତ ଜାଣିଛି, ସେମାନଙ୍କ ସବୁ ଚାଲ ସହ ପରିଚିତ’। ରାହୁଲ କହିଛନ୍ତି ଯେ ‘ଡର’ ଏମାନଙ୍କର ସବୁଠୁ ବଡ଼ ପରିଚୟ। ଏଥିରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅମିତ ଶାହ, ମୋହନ ଭାଗବତ, ସିଇସି ଜ୍ଞାନେଶ କୁମାର ଓ ଅଜିତ ଡୋଭାଲଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। କହିଛନ୍ତି ଏମାନେ ଏବେ ଧିରେ ଧିରେ ଘେରିବାରେ ଲାଗିଛନ୍ତି। ସେମାନଙ୍କ ଚାରିପଟର ପରିସର କମିବାରେ ଲାଗିଛି।

ରାହୁଲ ଏ ନେଇ କରିଥିବା ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ‘ଯାହା କରିବାର ଅଛି କର, ଯେତେ ପୋଲିସ ଡକାଇବାର ଅଛି ଡକାଅ, ୧୦ ହଜାର, ୩୦ ହଜାର ୫୦ ହଜାର ଯେତେ ଡାକିବା କଥା ଡାକ। ସବୁ ନେତାଙ୍କୁ ଗିରଫ କର, ପୁରା ଯୁବ ସମାଜକୁ ଗିରଫ କର, ହେଲେ ଘାବରାନ୍ତୁନି ଆମେ ତୁମକୁ ଚାରିପଟରୁ ଘେରୁଛୁ ଓ ଆମେ ଆଉ ପଛକୁ ହଟିବୁନି। ମୋ କଥା ମନେ ରଖନ୍ତୁ, ଆମକୁ ଯେଉଁ ସୂଚନା ଦରକାର ତାହା ଆମ ପାଖରେ ପୂର୍ବରୁ ରହିଛି’।

ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ଆମ ସମ୍ବିଧାନକୁ ରକ୍ଷା କରିବୁ, ଆମେ ଭାରତର ଜନତାଙ୍କ ସ୍ୱରର ହେପାଜତ କରିବୁ ଓ ଆମେ ସୁନିଶ୍ଚିତ କରିବୁ ଗତ ୧୦-୧୫ ବର୍ଷରେ ଭାରତ ସହ ଯାହା ହୋଇଛି, ତାହା ଯେପରି ଦ୍ୱିତୀୟ ବାର କୌଣସି ମତେ ନ ହୁଏ। ରାହୁଲ କହିଛନ୍ତି ଯେ ଭାରତର ଯୁବ ସମାଜ ପାଇଁ ମୁଁ ଗର୍ବିତ, ଆପଣଙ୍କୁ ନେଇ ମୁଁ ଗର୍ବ କରେ, ଆପଣମାନେ ବିରୋଧ ଜାରି ରଖନ୍ତୁ ଆମେ ଆପଣଙ୍କ ସହ ଛିଡା ହୋଇଛୁ।