ତେହେରାନ,୭|୦୬:ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବିରତ୍ତି ଲାଗୁ ହୋଇଛି । କିନ୍ତୁ ଏହାର ମାତ୍ର କିଛି ଦିନ ମଧ୍ୟରେ ପୁଣି ଅଶାନ୍ତ ହୋଇ ଉଠିଲାଣି ମଧ୍ୟପ୍ରାଚ୍ୟ । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଏକ କାର୍ଗୋ ଜାହାଜର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଘଟଣାରେ ଆମେରିକା ଇରାନକୁ ଟାର୍ଗେଟ୍ କରିଛି । ଜବାବରେ ୟୁଏସ ସେନା ମଧ୍ୟ ଇରାନର ଅନେକ ମିସାଇଲ ଏବଂ ଆର୍ମୀ ବେସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଘଟଣାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ହିଂସାର ଜବାବ ହିଂସାରେ ମିଳିବ । ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଇରାନ ଶାନ୍ତି ଆଲୋଚନାରେ ଦସ୍ତଖତ କରିଥିଲା । ଯାହାକୁ ଆମେରିକା ସମ୍ମାନ ଜଣାଇଥିଲା । କିନ୍ତୁ ଏବେ ଇରାନ ହିଂସାର ରାସ୍ତା ବାଛିଚି । ଏହାର ଜବାବ ମଧ୍ୟ ସେହି ସମାନ ଭାଷାରେ ଦିଆଯିବ ।

ସେ ଆହୁରି କହିଛନ୍ତି ଯେ, କୌଣସି ଅସୁବିଧା ହେଲେ ଇରାନର ନେତାଙ୍କ ପାଖରେ ଫୋନ୍ ଅଛି । ସେମାନେ ଆଲୋଚନା କରିପାରିବେ । କିନ୍ତୁ ହିଂସା କଲେ ତାହାର ଜବାବ ମଧ୍ୟ ହିଂସା ଦ୍ୱାରା ଦିଆଯିବ ।

ଟ୍ରମ୍ପଙ୍କ ବୟାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ତେହେରାନ ଦୁର୍ବଳ ହୋଇଯାଇଛି । ଏହାର ଶକ୍ତି କମି ଯାଇଛି । ସେମାନଙ୍କ ପାଖରେ ମାତ୍ର କିଛି ସୈନ୍ୟ କ୍ଷମତା ରହିଛି । ସେମାନେ ହର୍ମୋଜରେ ଏକ ବଡ ଜାହାଜରେ ଡ୍ରୋନ୍ ଆଟାକ୍ କରିଛନ୍ତି । ସେମାନେ ଚାରୋଟି ଡ୍ରୋନ୍ ମାଡ କରିଥିଲେ । ତିନୋଟିକୁ ଇଣ୍ଟରସେପ୍ଟ୍ କରାଯାଇଛି । କିନ୍ତୁ ଗୋଟିଏ ଜାହାଜରେ ମାଡ଼ ହୋଇଥିଲା । ଏପରି ହେବାକୁ ଦିଆଯିବ ନାହିଁ । ତେବେ ଆମେରିକା କଣ ଜବାବ ଦେବ ତାହା ଖୁବ୍ ଶୀଘ୍ର ଜଣାପଡିବ ବୋଲି ଟ୍ରମ୍ପ୍ କହିଛନ୍ତି ।

Also Read :- ମିଛ କହିଲେ ଟ୍ରମ୍ପ୍ ! ଇରାନ ବାଳିକା ସ୍କୁଲ ଉପରେ ଆକ୍ରମଣକୁ ଖଣ୍ଡନ, ପୂର୍ବରୁ କହିଥିଲେ ଅଲଗା କଥା

ଆମେରିକାର ଆକ୍ସନ

ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ, ଜୁନ ୨୫ରେ ସିଙ୍ଗାପୁରର ପତାକା ଥିବା ଏକ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ଆଟାକ୍ ହୋଇଥିଲା । ଓମାନ ଉପକୂଳରୁ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇ ଗତି କରୁଥିବା ବେଳେ ଏପରି ହୋଇଥିଲା । ଏଥିପାଇଁ ଇରାନ ଦାୟୀ । ଏହା ଯୁଦ୍ଧବିରତ୍ତି ଚୁକ୍ତିର ଖିଲାପ କରୁଥିବା ସେଣ୍ଟ୍ରାଲ୍ କମାଣ୍ଡ କହିଛି ।