ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅମୀଷା ପଟେଲ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ଏଥର ତାଙ୍କ ଚର୍ଚ୍ଚାର କାରଣ ହେଉଛି ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। କିଛି ସମୟ ଧରି ସୋସିଆଲ ମିଡିଆରେ ଦୁହିଁଙ୍କ ଡେଟିଂକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଥିଲା। ଦୁହେଁ ଡେଟିଂ କରୁଛନ୍ତି ବୋଲି ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳିଥିଲା । ଫ୍ୟାନ୍ସମାନେ ମଧ୍ୟ ଏହି ଗୁଜବକୁ ନେଇ ବେଶ୍ ଉତ୍ସୁକ ଥିଲେ। ତେବେ ଏହି ଚର୍ଚ୍ଚା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅମୀଷା । ସେ ହାର୍ଦ୍ଦିକଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିବା ସହିତ କିଛି ରୋଚକ କଥା ମଧ୍ୟ କହିଛନ୍ତି। ହାର୍ଦ୍ଦିକଙ୍କୁ ନେଇ ସେ କହିଛନ୍ତି “ସେ ବହୁତ ରୋମାଣ୍ଟିକ୍ ଥିଲେ।” କିନ୍ତୁ ସତରେ କ'ଣ ଅମୀଷା ଓ ହାର୍ଦ୍ଦିକଙ୍କ ମଧ୍ୟରେ ଥିଲା କି ପ୍ରେମ ସମ୍ପର୍କ ? ଆସନ୍ତୁ ଜାଣିବା ଏନେଇ କ'ଣ ରହିଛି ଅମୀଷାଙ୍କ ପ୍ରତିକ୍ରିୟା ।

ନିକଟରେ ବେଙ୍ଗାଲୁରୁର ଏକ ହୋଟେଲରେ ପାର୍ଟି ସମୟରେ ଅମୀଷା ପଟେଲଙ୍କ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସାକ୍ଷାତ ହୋଇଥିଲା । ତାଙ୍କ କାନ୍ଧରେ ହାତ ରଖି ଅମୀଷା କିଛି ମଜାଳିଆ ଢଙ୍ଗରେ କଥା ହୋଇଥିଲେ । ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ନୂଆ ମୋଡ଼ ନେଇଛି । ଅମୀଷାଙ୍କ କହିବା ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ୱଭାବ ଏବଂ ତାଙ୍କର ରୋମାଣ୍ଟିକ୍ ଅନ୍ଦାଜକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ଅନେକ କଥା କେବଳ ଗୁଜବ ମାତ୍ର। ଅଭିନେତ୍ରୀଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେହି କେହି ଏହାକୁ ଦୁହିଁଙ୍କ ମଧ୍ୟରେ ଥିବା ବିଶେଷ ବନ୍ଧୁତା ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ କେବଳ ଏକ ମଜାଦାର ଘଟଣା ଭାବରେ ଦେଖୁଛନ୍ତି । ଏକ X ୟୁଜର ଏକ ଭିଡିଓ ସେୟାର କରି ଲେଖିଥିଲେ, “ବେଙ୍ଗାଲୁରୁର ଏକ ହୋଟେଲରେ ପାର୍ଟି ସମୟରେ ଅମୀଷା ପଟେଲ ଯେପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ହାତ ରଖିଥିଲେ, ତାହା ଦେଖି ଲାଗୁଛି ଯେ ଦୁହିଁଙ୍କ ମଧ୍ୟରେ ଚାଲିଥିବା ଡେଟିଂ ଗୁଜବ ସତ ହେବାକୁ ଯାଉଛି।”

Also Read : ତ୍ରିଷାଙ୍କ ଅପମାନ ଭୁଲି ନାହାନ୍ତି ଥଲାପତି ବିଜୟ, ଷ୍ଟାଲିନଙ୍କୁ ପୁଣି ଥରେ ଦେଲେ ଚେତାବନୀ

ତେବେ ‘ଗଦର’ ଅଭିନେତ୍ରୀ ଅମୀଷା ପଟେଲ ଏହି ଗୁଜବକୁ ତୁରନ୍ତ ଖାରଜ କରିଦେଇଥିଲେ। ନିଜର ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ସେ ଏହି ପୋଷ୍ଟର ସ୍କ୍ରିନସଟ୍ ସେୟାର କରି ବ୍ୟଙ୍ଗାତ୍ମକ ଭାବେ କହିଥିଲେ ଯେ ସେହି ମୁହୂର୍ତ୍ତଟି ନିଶ୍ଚୟ ଖୁବ୍ ରୋମାଣ୍ଟିକ୍ ଥିଲା। ଅମୀଷା ଆହୁରି ଲେଖିଥିଲେ, “ତୁମେ ଏକଦମ ଠିକ୍ କହିଛ । ସତରେ, ଯେପରି ମୋ ହାତ ତାଙ୍କ ଉପରେ ଥିଲା, ତାହା ବହୁତ ରୋମାଣ୍ଟିକ୍ ଥିଲା।” ଏହାପରେ ସେ ପ୍ରଶ୍ନ କରିଥିଲେ ଯେ, ବନ୍ଧୁମାନଙ୍କ ମଧ୍ୟରେ ହୋଇଥିବା ଏକ ସାଧାରଣ କଥାବାର୍ତ୍ତାକୁ କାହିଁକି ରୋମାଣ୍ଟିକ୍ ଭାବରେ ଦେଖାଯାଉଛି ? ସେହି ୟୁଜରଙ୍କୁ ପୁଣିଥରେ ବ୍ୟଙ୍ଗ କରି ଅମୀଷା ଲେଖିଥିଲେ, “ମୁଁ ତୁମକୁ ଜାଣେ ନାହିଁ, କିନ୍ତୁ ନିଶ୍ଚିତ ଯେ ତୁମର କୌଣସି ଗର୍ଲଫ୍ରେଣ୍ଡ ନାହିଁ, ଏପରିକି କୌଣସି ବନ୍ଧୁ ମଧ୍ୟ ନାହାନ୍ତି। ଏଭଳି ପୋଷ୍ଟ କରିବା ପୂର୍ବରୁ ନିଜ ଜୀବନରେ କାହାକୁ ଆଣିବାକୁ ଚେଷ୍ଟା କର।” ତେବେ ଗୋଟିଏ କଥା ସ୍ପଷ୍ଟ ଅମୀଷା ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଡେଟିଂକୁ ନେଇ ଯେଉଁ ଗୁଜବ ଚାଲିଥିଲା, ସେଥିରେ ଅମୀଷାଙ୍କ ପ୍ରତିକ୍ରିୟା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଅମୀଷା ପଟେଲଙ୍କ ଏହି ବୟାନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାଏଁ ମିଳିନାହିଁ ।