ରାଉରକେଲା: ପ୍ରଥମ ଦେଖାରେ ଝିଅଟି ଭଲ ଲାଗିଥିଲା। ଭିଡ଼ ଭିତରେ ମନକିଣିନେଇଥିଲା ସେ। ଭାବିଥିଲେ ପ୍ରେମ ନିବେଦନ କରିବେ, କହିବେ ମନର କଥା। ହେଲେ ପୂରଣ ହେଲାନି ଇଚ୍ଛା। ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲା ପ୍ରେମିକା। ଆଉ ରିଜେକ୍ସନକୁ ସହିନପାରି ପ୍ରତିଶୋଧ ପରାୟଣ ହୋଇ ଏମିତି କିଛି କଲା, ଯାହା ହୁଏତ କେହି ଭାବିନଥିବେ। ଯୁବତୀଙ୍କୁ ପେଟ୍ରୋଲ ପକାଇ ଜାଳିଦେଲା ପ୍ରେମିକ। ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ରଜାତ କିରୋ ରାଉରକେଲା ବିଶ୍ରା ଥାନା ସନ୍ତୋଷପୁର ଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଏମିତିକି ଅନେକ ଥର ରଜାତ ଯୁବତୀଙ୍କ ନିକଟରେ ପ୍ରେମ ନିବେଦନ ମଧ୍ୟ କରିଥିଲେ। ହେଲେ ଏହାକୁ ବାରମ୍ବାର ପ୍ରତ୍ୟାଖାନ କରିବା ସହ ଘରକୁ ଆସିବାକୁ ମଧ୍ୟ ବାରଣ କରୁଥିଲେ ଯୁବତୀ। ଏମିତିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ରଜାତ। ଆଉ ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ରଜାତ ଝରକା ପଟେ ଯୁବତୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ମାରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଲାଠିକଟା ଅଞ୍ଚଳରୁ ଗିରଫ କରିଛି।

ତେବେ ପରିବାର ଲୋକେ ନିଆଁ ଆୟତ୍ତ କରି ତୁରନ୍ତ ଯୁବତୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ଝିଅକୁ ବୁର୍ଲା ଏବଂ ପରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଯୁବତୀଙ୍କ ପରିବାର ଲୋକେ ରଜାତଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Also Read: ଦୁଃଖ ଆଉ ଯାତନାର ଶେଷ ଚିତ୍ର ବୋଧହୁଏ ଏଇଠାରେ ଶେଷ, ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ...

ସେପଟେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୀଡ଼ିତାଙ୍କୁ ଚିକିତ୍ସା ପ୍ରାୟ ୧୧ ଘଣ୍ଟା ବିଳମ୍ବରେ ହୋଇଛି। ତାହାବି ୪୦୦ କିଲୋମିଟର ବୁଲାଇବା ପରେ । କାରଣ ପ୍ରଥମେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ହେଲେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା। ଯାହା ରାଉରକେଲାରୁ ୨୦୦ କିଲୋମିଟର ଦୂର। ପୁଣି ବୁର୍ଲାରେ ପହଞ୍ଚିବା ପରେ ବେଡ୍ ନ ଥିବାରୁ ଆଡମିଶନ୍ ପାଇଁ ମନା କରାଗଲା। ଉପାୟ ନ ପାଇ ପରିବାର ଲୋକେ ପୁଣି ୨୦୦ କିଲୋମିଟର ରାଉରକେଲା ଆଣି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳକୁ ପ୍ରାୟ ୧୧ ଘଣ୍ଟା ବିତିସାରିଥିଲା। ତେବେ ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏମିତିରେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।