ପାରାଦୀପ : ଦୁଃଖ ଆଉ ଯାତନାର ଶେଷ ଚିତ୍ର ବୋଧହୁଏ ଏଇଠାରେ ଶେଷ। ମୁଣ୍ଡରେ ଛାତ ନାହିଁ। ଦିନେ ଖାଇଲେ ଦୁଇ ଓଳି ଉପାସ। ଏମିତି ଦୁଃଖଠୁ ବଳି ଦୁଃଖ ଆଉ କଣ ବା ହୋଇପାରେ। ଦିନେ କି ଦୁଇଦିନ ନୁହଁ। ଦୀର୍ଘ ୧୩ ବର୍ଷ ହେବ ଏମାନେ ଜିଉଁଥିବା ଜୀବନକୁ ଯିଏ ନିରେଖି ଦେଖିବ ସେ ହତବାକ ହୋଇଯିବ । ଏ ଏକ ଏଭଳି ପରିବାର , ଯେଉଁମାନଙ୍କ ପାଖରେ ସବୁ ସରକାରୀ ଯୋଜନା ସାତ ସପନ। ଆହୁରି ବିଷୟ ଏମାନଙ୍କ ପାଖରେ ନିଜର ଆଧାର କାର୍ଡ ମଧ୍ୟ ନାହିଁ। ସେଥିପାଇଁ ବାପା ମା ଦୁଇ ଝିଅ ଓ ଦୁଇ ପୁଅକୁ ନେଇ ଏ ପରିବାର ଏବେ ରାସ୍ତା କଡର ବାସିନ୍ଦା। ଭିକ ମାଗି ପୋଷୁଛନ୍ତି ପେଟ।

ଗତ ଦୁଇ ବର୍ଷ ହେଲା ବାପା ସୋଲିନ ପୁର୍ତ୍ତି ଜଣ୍ଡିସ ରୋଗରେ ପୀଡିତ। ରୋଜଗାର କରିବାକୁ ଅକ୍ଷମ। ଦୀର୍ଘ ଦିନ ଧରି ପୀଡିତ ଥିବା ସୋଲିନ ଅଠରବାଙ୍କୀ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଔଷଧ ଆଣିଥିଲେ। ହେଲେ ରୋଗ ଭଲ ନହେବାରୁ ଡାକ୍ତର ଜଗତସିଂହପୁର କିମ୍ବା କଟକ ବଡ ମେଡିକାଲ ଯିବା ପାଇଁ ପରାମର୍ଶ ଦେଇଥିଲେ । ଅଥଚ ଅର୍ଥ ଓ ସହଯୋଗର ଅଭାବ କାରଣରୁ ସୋଲିନ ମେଡିକାଲ ଯାଇପାରୁନାହାନ୍ତି । ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଛି। ପରିବାରର ଦାରିଦ୍ର୍ୟତା ଆହୁରି ଦେଉଛି କଷ୍ଟ। ଏମିତିରେ ପିଲାଙ୍କ ପାଠପଢା ତ ଦୂରର କଥା ପେଟକୁ ଗଣ୍ଡାଏ ଦାନା ଯୋଗାଡ଼ କରିବାକୁ ବି ଅସମର୍ଥ। ଭୋକ ବିକଳରେ ଅନ୍ୟ କୌଣସି ଉପାୟ ନ ପାଇଁ ପିଲାମାନେ ରାସ୍ତାରେ ଭିକ ମାଗି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ପୂରା ପରିବାର ଦିନେ ଖାଇଲେ ଦିନେ ଉପାସ ।

ମୟୁରଭଞ୍ଜ ରାଇରଙ୍ଗପୁରର ସୋଲିନ ପୁର୍ତ୍ତି। କାମ ଅନ୍ବେସ୍ଵଣରେ ୧୫ ବର୍ଷ ବୟସରୁ ଚାଲି ଆସନ୍ତି ବନ୍ଦର ନଗରୀ ପାରାଦୀପ। ପ୍ରଥମେ ଲେବର ଭାବେ ଓ ପରେ ରାଜମିସ୍ତ୍ରୀ ଭାବେ କାମ କରି ପାରାଦୀପରେ ଏକ ଝୁମ୍ପୁଡି ତିଆରି କରି ରାସ୍ତା କଡରେ ରୁହନ୍ତି। କାଳକ୍ରମେ ସେ ଏଠାରେ ସୁମି ନାମ୍ନୀ ଏକ ଅନୁସୂଚିତ ଜନଜାତିର ଝିଅକୁ ବିବାହ କରି ଆରମ୍ଭ କରନ୍ତି ସଂସାର। ସମୟ କ୍ରମେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଜନ୍ମ ନିଅନ୍ତି। ପିଲାମାନଙ୍କ ଯତ୍ନ ନେବେ କଣ ସ୍ତ୍ରୀ ସୁମି ଧିରେ ଧୀରେ ପରିବାରକୁ ଛାଡି ନିଶାସକ୍ତ ହୋଇ ଏଣେତେଣେ ବୁଲନ୍ତି। କେବେ ପରିବାର ପାଖକୁ ଆସନ୍ତି ତ କେବେ ନାହିଁ। ଆଉ ଚାରି ଛୁଆଙ୍କ ଭାର ଏକାକୀ ସୋଲିନଙ୍କ ମୁଣ୍ଡରେ। ଏବେ ସେ ଜଣ୍ଡିସ ଆକ୍ରାନ୍ତ ହେବା ପରେ ଓଲଟା ଚାରି ଛୁଆଙ୍କ ଉପରେ ନିର୍ଭରଶୀଳ। ପ୍ରତିଦିନ ରାସ୍ତା କଡରେ ଯାଉଥିବା ଆଇରନ ଟ୍ରକକୁ ହାତ ପତେଇ ଚାରି ଛୁଆ ଭିକ ମାଗି ଆଣୁଥିବା ବେଳେ ସେଥିରେ ସୋଲିନଙ୍କ ପେଟକୁ ଦାନା ଯାଉଛି। ଏଭଳି ପରିସ୍ଥିତିରେ ବଞ୍ଚିଥିବା ଚାରିଛୁଆ ଓ ବାପାଙ୍କ ଘର , ଆଧାର କାର୍ଡ ଓ ପାଠ ପଢିବା କଥା ପଚାରେ କିଏ। ଶିଳ୍ପ ନଗରୀ ପାରାଦୀପର ବ୍ୟସ୍ତବହୁଳ ଜୀବନ ଭିତରେ ଏମାନଙ୍କୁ ସବୁବେଳେ ସମସ୍ତେ ଦେଖୁଛନ୍ତି। କିନ୍ତୁ ସେମାନଙ୍କ ଦୁଃଖ ବୁଝିବାକୁ କାହା ପାଖରେ ଯେମିତି ସମୟ ନାହିଁ।

Also Read- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, ଚାକିରି ହରାଇଲେ ବୟଫ୍ରେଣ୍ଡ୍ ଭୀମସେନ ଟୁଡୁ

ଯେଉଁ ବୟସରେ ଏହି କୁନି ପିଲାମାନେ ପାଠପଢା, ଖେଳ କୁଦରେ ସମୟ ବିତେଇବା କଥା। ସେହି ବୟସରେ ପେଟର ଭୋକ ମେଣ୍ଟାଇବାକୁ ହାତ ପାତୁଛନ୍ତି। କରୁଛନ୍ତି ଜୀବନ ସହିତ ସଂଘର୍ଷ । ଅସହାୟତା ହେଉ କିମ୍ବା ଅଭିଶାପ, ଏମାନଙ୍କର ବଞ୍ଚିବାର ତ ଅଧିକାର ଅଛି । ମାଳ ମାଳ ସରକାରୀ ସୁବିଧା ବି ଅଛି। ତାର ଦାୟିତ୍ୱରେ ବି ଅନେକ ବାବୁ। କିନ୍ତୁ କେବେ ସୋଲିନଙ୍କ ସଂସାରର ସୌଭାଗ୍ୟ ହେବ ତାକୁ ଅପେକ୍ଷା।