ବୌଦ୍ଧ ୧୯।୬: ପ୍ରଧାନଶିକ୍ଷକ କରିପାରିଲେନି SIR କାମ ଚାକିରିରୁ ନିଲମ୍ବିତ କରିବାକୁ ଧମକ ଦେଲେ ଅଧିକାରୀ । ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ଚାକିରି ଯିବା ଭୟରେ ବିଷ ପିଇ ଆତ୍ମହତ୍ୟା କଲେ BLO । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ ।

ଅଭିଯୋଗ ଅନୁଯାୟୀ, ଗୋଛାପଡା ଗାଁର ସୟନ ସାହୁ ଗୁନ୍ଦୁଲିଆ କ୍ଲଷ୍ଟରର ଡ଼ିମିରଖୋଲ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ SIR କାର୍ଯ୍ୟରେ ବିଏଲଓ ଭାବରେ ନିଯୁକ୍ତି ହୋଇଥିଲେ । ତେବେ ସେ SIR କାର୍ଯ୍ୟ ଠିକ୍ ଭାବରେ କରୁନଥିବା ଯୋଗୁଁ ବାରମ୍ବାର ତାଙ୍କୁ ଉପରିସ୍ଥ ଅଧିକାରୀ ଚାପ ପ୍ରୟୋଗ କରୁଥିଲେ । ଏମିତିକି କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି BLOଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁ ।

Also Read:- ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପିଏମ୍

SIR କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରିସାରିଥିବା ବେଳେ ଏବେ ତାଙ୍କୁ ସେହିଭଳି ଭାବେ ନିଲମ୍ବିତ କରାଯିବା ନେଇ ସେ ମାନସିକ ଚାପଗ୍ରସ୍ତ ହୋଇ ଗୁରୁବାର ବିଷପାନ କରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ । ତେବେ ସେ ବିଷପାନ କରିବା ପରେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶୁକ୍ରବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶିକ୍ଷକ ଜଣକ SIR କାର୍ଯ୍ୟ ଆରମ୍ଭ ମଧ୍ୟ କରିନଥିବା ବେଳେ କେବଳ ମଦ୍ୟପାନ କରି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ସୂଚନା ମିଳିଛି ତେବେ ଏହା ଆତ୍ମହତ୍ୟା ନା ସ୍ୱାଭାବିକ ମୃତ୍ୟୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି ।