ଭୁବନେଶ୍ୱର, ୨୩/୧୦:ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ଇଣ୍ଡୋନେସିଆ ଫେରାଇ ନିଆଯିବ। ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛି ଇଣ୍ଡୋନେସିଆ ପ୍ରଶାସନ। ଇଣ୍ଡୋନେସିଆର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ଦଳ ଆସନ୍ତା ନଭେମ୍ବର ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି।

ସୂଚନା ଥାଉକି,ଗତ ମାସ ୮ ତାରିଖରେ ବାଲେଶ୍ଵର ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଭୁବନେଶ୍ଵରସ୍ଥିତ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରଖାଯାଇଛି। ନନ୍ଦନକାନନରେ ସେମାନଙ୍କୁ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ସେବା ଓ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ସେମାନେ ସେଠାରେ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

Also Read :- ତିବ୍ଦତରେ ବଡ଼ ଧରଣର ଭୂମିକମ୍ପ : ଝଟକାରେ ୧୬ ମୃତ, ୩୨ ଆହତ

ଏହି ଓରାଙ୍ଗଉଗନ ବିଚିତ୍ରପୁର ଜଙ୍ଗଲକୁ କିପରି ଓ କେଉଁଠାରୁ ଆସିଲେ,କିଏ ଏଠାରେ ଛାଡ଼ି ପଳାଇଲା ସେନେଇ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାକ୍ସ୍ ଫୋର୍ସ (ଏସଟିଏଫ୍) ତଦନ୍ତ ଜାରି ରଖିଛି। ଓରାଙ୍ଗଉଟାନ୍ କୋଲକାତାରୁ ଦୀଘା ଦେଇ ବିଚିତ୍ରପୁର ଜଙ୍ଗଲକୁ ଆସିଥିବା ତଦନ୍ତ ସମୟରେ ଏସଟିଏଫ୍ ଜାଣିବାକୁ ପାଇଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଏସଟିଏଫ୍ ଜାଣିବାକୁ ପାଇଥିଲେ ମଧ୍ୟ ଏହି ଓରାଙ୍ଗଉଟାନ୍ ଚାଲାଣ ପଛରେ କାହାର ହାତ ରହିଛି,ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। କୌଣସି ଅନ୍ତର୍ଜାତୀୟ ସ୍ୱଗଲରଙ୍କ ହାତ ଥିବା ଏସଟିଏଫ୍ କହୁଥିବା ବେଳେ ସେମାନଙ୍କ ନିକଟରେ ମଧ୍ୟ ପହଞ୍ଚିପାରିନାହିଁ। ତଦନ୍ତ ଜାରି ରହିଥିବା ଏସଟିଏଫ୍ ପକ୍ଷରୁ କୁହାଯାଉଛି।

ସେପଟେ ନନ୍ଦନକାନନରେ ଯତ୍ନରେ ଓରାଙ୍ଗଉଟାନ୍ ମାନଙ୍କୁ ରଖାଯାଇଥିବା ବେଳେ ସେମାନଙ୍କ ପ୍ରଜାତି ଓ ଉତ୍ପତି ସମ୍ପର୍କରେ ନିଶ୍ଚିତ ହେବା ପାଇଁ ଡିଏନଏ ଟେଷ୍ଟର ଆବଶ୍ୟକତା ରହିଥିବା ବନବିଭାଗ କହିଛି। ହେଲେ ଆଜି ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଓରାଙ୍ଗଉଟାନଙ୍କ ଡିଏନଏ ଟେଷ୍ଟ୍ କରାଯାଇନାହିଁ।

ସେପଟେ ଭାରତରେ ଉଦ୍ଧାର ହୋଇଥିବା ସୁମାତ୍ରା ପ୍ରଜାତିର ଏକ ଓରାଙ୍ଗଉଟାନ ଶାବକକୁ ଇଣ୍ଡୋନେସିଆ ଫେରାଇ ନିଆଯାଇଛି। ୨୦୨୪ ନଭେମ୍ବରରେ ଭାରତରେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନକୁ ନିକଟରେ ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ସମନ୍ବିତ ପ୍ରୟାସରେ ଫେରାଇ ଦିଆଯାଇଛି। ନନ୍ଦନକାନନରେ ଥିବା ଓରାଙ୍ଗଉଟାନ୍ ଶାବକଙ୍କୁ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ନିୟମାବଳୀ ପୂରଣ ପରେ ସେମାନଙ୍କୁ ଫେରାଇ ନିଆଯିବ ବୋଲି ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଇଣ୍ଡୋନେସିଆର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ୫ ଜଣିଆ ଦଳ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାଯ୍ୟକ୍ରମ ରହିଥିବା ଜଣାପଡ଼ିଛି।