କାମାକ୍ଷାନଗର ୨୭।୭: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପରିସରରେ ପିଇଓଙ୍କୁ ମାଡ଼ ଅଭିଯୋଗ । କାଦୁଆ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରୟୋଜିତ ବିଶ୍ୱାଳଙ୍କୁ ମାଡ଼ ମରାଯାଇଥିବା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି l

ଅଭିଯୋଗ ଅନୁସାରେ, ବାଉଁଶପାଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ ଉତ୍ୟକ୍ତ ଲୋକମାନେ ପିଇଓଙ୍କୁ ଆକ୍ରମଣ କରିଥିଲେ । ଘଟଣା ବେଳର ଦୃଶ୍ୟ ବ୍ଲକ ପରିସରରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି ।

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ମୁତାବକ ସେ ଆଜି ପଞ୍ଚାୟତର ଭତା ଦେଇ ବ୍ଲକକୁ SIR କାମ ପାଇଁ ଆସିଥିବା ବେଳେ ୬ରୁ ୭ଜଣ ତାଙ୍କୁ ଆକ୍ରମଣ କରିଥିଲେ । ସେ ବାଉଁଶପାଳ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସର୍ଭେ ରିପୋର୍ଟ ଦେବା ପରେ କିଛି ଲୋକଙ୍କ ଘର କଟିଯାଇଥିବା ଅଭିଯୋଗ କରି ତାଙ୍କୁ ଆକ୍ରମଣ କରିଛନ୍ତି । ଏ ଘଟଣା ସମ୍ପର୍କରେ କାମାକ୍ଷାନଗର ବିଡିଓ ପ୍ରଭୁ କଲ୍ୟାଣ ଦାସ କହିଛନ୍ତି ଯେ, ସମଗ୍ର ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ।

Also Read:- ସେବେ ‘ଶବ’ ଆଉ ଏବେ ‘ଲାଶ୍’ ପାଇଁ ଚର୍ଚ୍ଚାରେ, କାହିଁକି କୋର୍ଟଙ୍କ ଦ୍ବାରସ୍ଥ ହେଲେ ଦାନ ମାଝୀ ?

ଅନ୍ୟପଟେ, ବାଉଁଶପାଳ ପଞ୍ଚାୟତର କିଛି ଲୋକ ପିଇଓ ପ୍ରୟୋଜିତ ବିଶ୍ୱାଳଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଅନିୟମିତତା ସହ ଖରାପ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ ସ୍ୱରୂପ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।