ବ୍ରହ୍ମପୁର ୨୦।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳିଯାଉଛି ଅସହ୍ୟ ଗୁଳୁଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହେଉଛି । ପ୍ରବଳ ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେଭ୍ । ପ୍ରାୟ ଜିଲ୍ଲାରେ ପାରଦ ପ୍ରତ୍ୟେକ ଦିନ ୪୦ ଡିଗ୍ରୀ ପାର କରୁଥିବା ଦେଖିବାକୁ ମିଳୁଛି । ପରଦା ବୃଦ୍ଧି ଯୋଗୁଁ ଦିନ ତମାମ ଆକାଶରୁ ହେଉଛି ଅଗ୍ନି ବର୍ଷା ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ । ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ । ତେବେ, ପୂର୍ବରୁ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ନିୟମିତ ଭାବେ ଅନୁଷ୍ଠିତ ହେବ । ଏହି ସମୟରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜରୁରୀ କାମ ଚାଲୁ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Also Read:- School Timings Changed: ଏହି ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲା ସମୟ, ସକାଳ ୬ଟା ୩୦ରୁ ୯ଟା ଯାଏଁ ଖୋଲିବାକୁ ନିର୍ଦ୍ଦେଶ

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛୁଟି ଘୋଷଣା କରାଯାଇ ସାରିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ ସକାଳୁଆ ହେବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କି ପିଲାମାନେ ଗ୍ରୀଷ୍ମ ପ୍ରକୋପରୁ ବଞ୍ଚିତ ରହିବେ ।

ସେହିପରି ସ୍କୁଲ ଖୋଲିବା ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।