ମୁମ୍ବାଇ : ବଲିଉଡ ଦମଦାର ଅଭିନେତା ଅକ୍ଷୟ ଖନ୍ନାଙ୍କୁ ନେଇ ଏବେ ବଢିଛି ଚର୍ଚ୍ଚା । ତାଙ୍କୁ ଏବେ ଏକଦମ୍ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ବଲିଉଡର ଆଗାମୀ ଫିଲ୍ମ ‘ମହାକାଳୀ’ରେ ସେ ଅଭିନୟ କରୁଛନ୍ତି ଅସୁରଙ୍କ ଗୁରୁ ଭୂମିକା । ତାଙ୍କର ଏହି ନୂଆ ଲୁକ୍ ଓ ଚରିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢିଛି । ବଲିଉଡ୍ରେ ନିଜର ଅଭିନୟର ନିଆରା ଛାପ ଛାଡ଼ିଥିବା ଅକ୍ଷୟ ଖନ୍ନା ଏବେ ଏକ ପୌରାଣିକ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ସେ ଅସୁରଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ମିଳିଛି ।

ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟଙ୍କ ନାମ ଥିଲା 'ଉଶନା' । ସେ ଥିଲେ ଋଷି ଭୃଗୁ ଓ କାବ୍ୟାଙ୍କ ପୁତ୍ର । ଛୋଟବେଳୁ ସେ ଅତ୍ୟନ୍ତ ପ୍ରତିଭାଶାଳୀ ଥିଲେ । ଅଙ୍ଗିରାସ ଋଷିଙ୍କ ଆଶ୍ରମରେ ସେ ବୃହସ୍ପତିଙ୍କ ସହ ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ଉଶନାଙ୍କୁ ଲାଗୁଥିଲା ଯେ ବୃହସ୍ପତି ଗୁରୁଙ୍କ ପୁଅ ହୋଇଥିବାରୁ ତାଙ୍କୁ ଅଧିକ ଗୁରୁତ୍ୱ ମିଳୁଛି । ପରେ ଦେବତାମାନେ ଯେତେବେଳେ ନିଜ ଗୁରୁ ଚୟନ କଲେ, ବୃହସ୍ପତିଙ୍କୁ ଚୟନ କରାଗଲା। ଏହା ଉଶନାଙ୍କ ପାଇଁ ଏକ ବଡ଼ ଆଘାତ ଥିଲା । ଏହା ପରେ ଉଶନା ସ୍ୱର୍ଗଲୋକ ଛାଡ଼ି ଅସୁରମାନଙ୍କ ସହ ଯୋଗ ଦେଲେ। ଆଉ ଧୀରେ ଧୀରେ ସେ ହେଲେ ଅସୁରମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ।

‘ମହାକାଳୀ’କୁ ନେଇ ସିନେମାପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ପୌରାଣିକ କାହାଣୀକୁ ଆଧୁନିକ ସିନେମାଟିକ୍ ଭିଜୁଆଲ୍ରେ ଦେଖାଇବାର ଚେଷ୍ଟା ଦର୍ଶକଙ୍କ ମନରେ ଆଗ୍ରହ ବଢ଼ାଇଛି। ଏହି ଜଟିଳ ଚରିତ୍ରକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି ଅକ୍ଷୟ ଖନ୍ନା । ଲମ୍ବା ଦାଢ଼ି, ଜଟା ଏବଂ ପାରମ୍ପରିକ ପୋଷାକରେ ତାଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ିଛି ।

ଅକ୍ଷୟ ଖନ୍ନାଙ୍କ ପାଇଁ ମଧ୍ୟ ଏହି ଭୂମିକା ଏକ ନୂଆ ଚ୍ୟାଲେଞ୍ଜ ରହିବ । ଶୁକ୍ରାଚାର୍ଯ୍ୟଙ୍କ ଚରିତ୍ରରେ ରହିଛି ଜ୍ଞାନ, ବିଦ୍ରୋହ, ରଣନୀତି, ଶକ୍ତି, ଭାବନା ଏବଂ ନୈତିକ ଦ୍ୱନ୍ଦ୍ୱ । ତେଣୁ ଏହା କେବଳ ଜଣେ ‘ଖଳନାୟକ’ଙ୍କ କାହାଣୀ ନୁହେଁ । ଅର୍ଥାତ୍, ଶୁକ୍ରାଚାର୍ଯ୍ୟ ଏମିତି ଜଣେ ପୁରାଣ ଚରିତ୍ର, ଯିଏ ଦେବତାଙ୍କ ବିରୋଧରେ ଠିଆ ହୋଇଥିଲେ, କିନ୍ତୁ ନିଜେ ମଧ୍ୟ ଶକ୍ତିର ସୀମା ଓ ତାହାର ପରିଣାମକୁ ବୁଝିଥିଲେ । ଆଉ ଏହି ଜଟିଳ ଚରିତ୍ରକୁ ଅକ୍ଷୟ ଖନ୍ନା କିପରି ପରଦାରେ ଦର୍ଶାଇବେ, ତାହା ହିଁ ‘ମହାକାଳୀ’କୁ ନେଇ ସବୁଠାରୁ ବଡ଼ ଉତ୍ସୁକତା ।